ନୟାଗଡ: ଜିଲ୍ଲାସ୍ଥିତ ଦର୍ପନାରାୟଣ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କେବଳ ଜଣେ ମାତ୍ର ଫାର୍ମାସିଷ୍ଟଙ୍କୁ ନେଇ କାମ ଚାଲୁଛି । ଏଠାରେ ଥିବା ପୂର୍ବତନ ଡାକ୍ତରଙ୍କ ବଦଳି ପରେ ଜଣେ ଫାର୍ମାସିଷ୍ଟ ଡାକ୍ତରଖାନାର କାର୍ଯ୍ୟଭାର ତୁଲାଉଛନ୍ତି । ଫଳରେ ରୋଗୀ ତଥା ରୋଗୀଙ୍କ ପରିବାର ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ନୟାଗଡ ଜିଲ୍ଲା ଦର୍ପନାରାୟଣ ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ଡାକ୍ତର ସମସ୍ୟା ନୁହେଁ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ନିରାମୟରେ ଔଷଧ ସୁବିଧା ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ଅପହଞ୍ଚ । ନାହିଁ ନାହିଁରେ ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର । ଜଣେ ଫାର୍ମାସିଷ୍ଟ ଥିବାରୁ ରୋଗୀଙ୍କ ସଂଖ୍ୟା ବଢିଲେ ରୋଗୀ ତଥା ରୋଗୀଙ୍କ ପରିବାର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ । ଏଥିସହ ନିରାମୟ ବ୍ୟବସ୍ଥାରେ ଅଳ୍ପ କିଛି ଔଷଧକୁ ଛାଡିଦେଲେ ଅନ୍ୟ ଔଷଧ ମେଡିକାଲ ବାହାରୁ କିଣିବାକୁ ପଡେ । ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟାର କର୍ମଚାରୀ ମଧ୍ୟ ନାହାଁନ୍ତି ।
ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତାରୁ ବଞ୍ଚିତ ଅଞ୍ଚଳବାସୀ । ଫଳରେ ଏମାନେ ବାଧ୍ୟ ହୋଇ ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ଅଞ୍ଚଳବାସୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାବେଳେ ଉପଯୁକ୍ତ ଚିକିତ୍ସାରେ ବିଳମ୍ବ ମଧ୍ୟ ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି । ତେଣୁ ପ୍ରଶାସନ ଏହି ସମସ୍ୟା ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ