ନୟାଗଡ: ଜୋତା ପିନ୍ଧି ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ଖଣ୍ଡପଡ଼ା ବିଡ଼ିଓଙ୍କୁ ପଡ଼ିଲା ମହଙ୍ଗା । କାର୍ଯ୍ୟାନୁଷ୍ଠାନ ଦାବିରେ ହାଇକୋର୍ଟର ଦ୍ୱାରସ୍ଥ ହେଲା ଭାରତୀୟ ବିକାଶ ପରିଷଦ । କିଛି ଦିନ ପୂର୍ବେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ଏକ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏହି କାର୍ଯ୍ୟକ୍ରମରେ ଜୋତା ପିନ୍ଧି ଖଣ୍ଡପଡା ବିଡ଼ିଓ ଅରୁଣିମା ସାହୁ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଏବଂ ଦୀପ ଜ୍ବଳନ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା ।
କିଛି ବୁଦ୍ଧିଜୀବୀ ଖଣ୍ଡପଡା ଥାନାରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଶୁଣିନଥିଲା । ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶେଷରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ । ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ, ଖଣ୍ଡପଡ଼ା IIC ଓ ବିଡ଼ିଓଙ୍କୁ ପକ୍ଷଭୁକ୍ତ କରାଯାଇ ଏହି ମାମଲା ଦାୟର କରାଯାଇଛି । ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରି ଖଣ୍ଡପଡ଼ା ବିଡ଼ିଓ ଅରୁଣିମା ସାହୁ ଜାଣିଶୁଣି ଏଭଳି ନିନ୍ଦନୀୟ କାର୍ଯ୍ୟ କରିଥିବାରୁ ତାଙ୍କ ନାମରେ IPC ଧାରା 295(A), 153(A) ଏବଂ 505(2)ରେ ମାମଲା ରୁଜୁ କରି ତୁରନ୍ତ ଗିରଫ କରାଯିବାକୁ ଏହି ଆବେଦନରେ ଦର୍ଶଯାଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ