ନବରଙ୍ଗପୁର: ସ୍ଥାନୀୟ ଶଙ୍ଖାରୀ ସାହିରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଭଡା ଘରେ ରହୁଥିବା ଜନୈକ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଦୁଇଟି ସନ୍ତାନର ମା’ ସମ୍ପୃକ୍ତ ମହିଳାଙ୍କ ଜନ୍ମଦିନରେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଣିଛନ୍ତି ମହିଳାଙ୍କ ମଉସା ଓ ମାଉସୀ । ସେମାନଙ୍କ କହିବା ଅନୁଯାୟୀ ପ୍ରଥମେ ହତ୍ୟା କରିବା ପରେ ମହିଳାଙ୍କ ମୃତ ଶରୀରକୁ ଫ୍ୟାନରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦିଆଯାଇଛି ।
ସୂଚନା ଅନୁଯାୟୀ ପି ରବି ନାମକ ଯୁବକ ସୁଦୂର ଆନ୍ଧ୍ରପ୍ରଦେଶର କାକିନଡା ଜିଲ୍ଲାସ୍ଥିତ ଆନୁଭରମ ଗ୍ରାମରୁ ପି ରୂପା ନାମକ ଯୁବତୀଙ୍କୁ 7 ବର୍ଷ ତଳେ ବିବାହ କରିଥିଲେ । ଇତି ମଧ୍ୟରେ ରୂପା ଦୁଇଟି ସନ୍ତାନର ଜନନୀ ହେବା ସତ୍ତ୍ବେ ସ୍ବାମୀ ପି ରବି ତାଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏନେଇ ସେ ରୂପାଙ୍କ ଉପରେ ଶାରୀରିକ ନିର୍ଯାତନା କରୁଥିବା ପରିବାର ପକ୍ଷରୁ କୁହାଯାଇଛି ।
ତେବେ ଶନିବାର ମହିଳାଙ୍କ ଜନ୍ମଦିନରେ ପି ରୂପାଙ୍କ ଶ୍ବଶୁର ଘରେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ରବିବାର ମହିଳାଙ୍କ ମଉସା ମାଉସୀ ସୂଚନା ଦେଇଛନ୍ତି । ସେପଟେ ନବରଙ୍ଗପୁର ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହକୁ ଘର ଭିତରରୁ କଢା ଯାଇଥିବା ବେଳେ ଘଟଣାରେ ନବରଙ୍ଗପୁର ଟାଉନ ଥାନା ତଦନ୍ତ ଜାରି ରଖିଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ