ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ବ୍ଳକ ମେଦନା ପଞ୍ଚାୟତ ଅଧିନସ୍ଥ ଚାଟିଗୁଡା ଠାରୁ ବାଉଁଶବେଡା ବିଦ୍ୟାଳୟ ପର୍ଯ୍ୟନ୍ତ ଏସସିଏ ଯୋଜନାରେ ହୋଇଥିବା ରାସ୍ତା ଅତି ନିମ୍ନରୁ ଅତିନିମ୍ନ ମାନର କାମ ହେଇଥିବା ଅଭିଯୋଗ ହୋଇଛି । ରାସ୍ତା ତିଆରିର ବର୍ଷେ ନପୂରୁଣୁ ଉଠିଗଲା ପିଚୁ । ବିଭାଗୀୟ ଅଧିକାରୀ ମାନେ ଠିକାଦାରଙ୍କ ଠାରୁ ପିସି ନେଇ କାମକୁ ଯାଞ୍ଚ ନକରି ବିଲ ପାସ କରୁଥିବା ଏବଂ ଠିକାଦାର ରାଜନୈତିକ ଛତ୍ରଛାୟା ତଳେ ରହୁଥିବାରୁ ବିଭାଗୀୟ କର୍ମୀ ମାନେ ଠିକାଦାରଙ୍କୁ ସୁହାଇବା ଭଳି ଅନୁକମ୍ପା ପ୍ରଦର୍ଶନ କରିଥିବା ଏହି କାମରୁ ବାରି ହେଉଥିବା ଅଭିଯୋଗ ହୋଇଛି ।
"ସରକାରକା ମାଲ ଦରିଆମେ ଡାଲ" ଠିକାଦାର ଓ ଆରଡି ବିଭାଗୀୟ ଦାୟିତ୍ବରେ ଥିବା ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାମ । ଏ ଅଭିଯୋଗ କରିଛନ୍ତି ଡାବୁଗାଁ ବ୍ଳକ ଚେୟାରମ୍ୟାନ ବଂଶଧର ମାଝୀ । ନିମ୍ନମାନର କାମ ଯୋଗୁଁ ରାସ୍ତାରୁ ପିଚୁ ଉଠିଗଲାଣି ଏନେଇ ସ୍ଥାନୀୟ ବାସିନ୍ଦାମାନେ ବିଭାଗୀୟ ଅଧିକାରୀ ମାନକୁ ବାରମ୍ବାର ଅବଗତି କରାଇଲା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ ।
ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସଲାସୁତୁରାରେ କିପରି କାମ ଚାଲିଛି ତାହାର ଏକ ଉଦାହରଣ ପାଲିଟିଛି । ରାସ୍ତାରେ ମାଟି ଜମା ହେବା ସହିତ ରାସ୍ତାରେ ବଡ଼ ବଡ଼ ଗଭୀର ଗାତ ହୋଇଛି । ନିମ୍ନମାନର ରାସ୍ତାକାମ ପାଇଁ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଗ୍ରାମବାସୀ ମାନେ ।
ପ୍ରତିଦିନ ଏହିରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ ମାନେ ଯାଉଥିବାରୁ କୌଣସି ଦୁର୍ଘଟଣା ଘଟିବା ଆଗରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ