ନବରଙ୍ଗପୁର: ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ନିର୍ବାଚନୀ କ୍ୟାଲେଣ୍ଡରରେ ସାଙ୍ଘାତିକ ତ୍ରୁଟି । ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଦ୍ଵାରା ବଣ୍ଟା ଯାଉଥିବା ଏହି କ୍ୟାଲେଣ୍ଡରରେ ଚଳିତ ବର୍ଷ ସ୍ବାଧୀନତା ଦିବସ ଜୁଲାଇ ୪ ତାରିଖରେ ଦର୍ଶାଯାଇଛି । ନିଜ ନିର୍ବାଚନୀ ପ୍ରଚାର କାର୍ଡରେ ଏଭଳି ତ୍ରୁଟି କରି ଜିଲ୍ଲାର ପାପଡାହାଣ୍ଡି ଜୋନ୍-୨ ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଭାନୁମତି ପୂଜାରୀଙ୍କୁ ଲୋକହସା ହେବାକୁ ପଡ଼ିଛି ।
ଏହାମଧ୍ୟ ପଢନ୍ତୁ: ନିର୍ବାଚନୀ ଗୀତରେ ପାୱାରଫୁଲ ପ୍ରଚାର ମଇଦାନ, ଚର୍ଚ୍ଚାରେ ବିଶ୍ଵନାଥ ଷ୍ଟୁଡିଓ
ନିଜ ନିର୍ବାଚନ ପ୍ରଚାର କାର୍ଡ ପଛ ପାଖରେ ରହିଥିବା କ୍ୟାଲେଣ୍ଡରରେ ଏହା ଉଲ୍ଲେଖ କରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ନାନା ରଣନୀତି ଆପଣାଉଛନ୍ତି । କିଏ ଘରଘର ବୁଲି ଭୋଟ ମାଗୁଛନ୍ତି ତ କିଏ ପ୍ରଚାର ପତ୍ର ବାଣ୍ଟିବାରେ ଲାଗିଛି । ଡାବୁଗାଁର ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଡାକ୍ତରୀ ଝିଅ ଲିପିକା ମାଝୀଙ୍କ ବିରୋଧରେ ପାପଡାହାଣ୍ଡି ଜୋନ-୨ ଜିଲ୍ଲା ପରିଷଦ ଆସନର ବିଜେଡି ପ୍ରାର୍ଥୀ ହୋଇଛନ୍ତି ଲିପିକାଙ୍କ ମାଉସୀ ଝିଅ ଭଉଣୀ ଭାନୁମତି ପୂଜାରୀ । ଭାନୁମତି ଭୋଟରଙ୍କୁ ନିଜ ପ୍ରଚାର କାର୍ଡ ବାଣ୍ଟିଛନ୍ତି ।
କାର୍ଡର ସମ୍ମୁଖ ଭାଗରେ ଦଳୀୟ ନେତା ଓ ପ୍ରାର୍ଥୀଙ୍କ ଫଟୋ ରହିଛି । ଲୋକଙ୍କୁ ଆକୃଷ୍ଟ କରିବାକୁ ପଛ ପାର୍ଶ୍ବରେ ଇଂରାଜୀ କ୍ୟାଲେଣ୍ଡର ରହିଛି । କ୍ୟାଲେଣ୍ଡରର ଛୁଟି ତାଲିକାରେ ଜୁଲାଇ ୪ ତାରିଖରେ ସ୍ଵାଧୀନତା ଦିବସ ପଡୁଥିବା ଉଲ୍ଲେଖ ରହିଛି । କାର୍ଡରେ ଏଭଳି ତ୍ରୁଟି ଦେଖି ଅନେକ ଏହାକୁ ନେବା ଲାଗି ଅମଙ୍ଗ ହେଉଥିବା ଦେଖାଯାଉଛି । ଖୋଦ୍ ଶାସକ ଦଳର ପ୍ରାର୍ଥୀଙ୍କ ଦ୍ଵାରା ସ୍ବାଧୀନତା ଦିବସ ଭଳି ଗୁରୁତ୍ବପୂର୍ଣ୍ଣ ଦିନକୁ ଭୁଲ ଦର୍ଶାଇବା ଓ ତାହାକୁ ଭୋଟରଙ୍କ ମଧ୍ୟରେ ବାଣ୍ଟିବାକୁ ନେଇ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି । ଗୋଟିଏ ଡାକ୍ତର ପ୍ରାର୍ଥୀନୀଙ୍କ ବିରୋଧରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା ଶାସକ ଦଳର ପ୍ରାର୍ଥୀଙ୍କୁ ଏହି ଭୁଲ କେତେ ସୁହାଇବ କିମ୍ବା ମହଙ୍ଗା ପଡିବ ତାହା ସମୟ କହିବ । ନିର୍ବାଚନ ମଇଦାନରେ ଭଉଣୀଙ୍କ ବିରୋଧରେ ଭଉଣୀ ପ୍ରାର୍ଥୀ ହୋଇଥିବାରୁ ଆସନ ଉପରେ ସଭିଙ୍କ ନଜର ରହିଛି । କ୍ୟାଲେଣ୍ଡରରେ ସ୍ବାଧୀନତା ସମ୍ବନ୍ଧୀୟ ଭୁଲ ତଥ୍ୟ ଦିଆଯାଇଥିବାରୁ କଂଗ୍ରେସ ତାତ୍ସଲ୍ୟ କରିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ