ନବରଙ୍ଗପୁର: ଝରିଗାଁ ବ୍ଲକର ଟୁଟିଗୁଡ଼ା ମଡେଲ ଅଙ୍ଗନବାଡି କେନ୍ଦ୍ରକୁ ନୀତି ଆୟୋଗର ଭୂରି ଭୂରି ପ୍ରଂଶସା । କୁନିକୁନି ପିଲାଙ୍କ ପାଇଁ ଏଠାରେ ତିଆରି ହୋଇଥିବା ଏହି କେନ୍ଦ୍ରର ନିର୍ମାଣ ଶୈଳୀ ଓ ଡିଜାଇନ ଯେତେକି ଆକର୍ଷଣୀୟ ସେତିକି ପ୍ରେରଣାଦାୟକ । ଯାହାକି ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ ବୋଲି ନିଜ ଅଫିସିଆଲ ପେଜରେ ଟ୍ବିଟ କରି ନୀତିଆୟୋଗ ପୋଷ୍ଟ କରିଛି ।

ଏ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଝରିଗାଁ ବ୍ଲକ ପ୍ରଶାସନର ଏଭଳି କାର୍ଯ୍ୟକୁ ସ୍ବାଗତ କରିଛନ୍ତି। ଝରିଗାଁ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ବ୍ଲକରେ ଟ୍ରେନ ବଗି ଆକୃତିର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜିଲ୍ଲାରେ ଏଯାଏ ଟ୍ରେନ ଚଳାଚଳ ହୋଇପାରିନାହିଁ । କିନ୍ତୁ ପିଲାଙ୍କ ପାଠ୍ୟ ପୁସ୍ତକ ଛବି ଦେଖି ଟ୍ରେନ ସମ୍ପର୍କରେ ପିଲା ଜାଣୁଛନ୍ତି। କୁନି କୁନି ପିଲାଙ୍କୁ ଟ୍ରେନ ସମ୍ପର୍କରେ ଜଣାଇବା ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିବା ଲାଗି ଆଗ୍ରହ ସୃଷ୍ଟି କରିବା ଉଦେଶ୍ୟ ନେଇ ଏଭଳି ପ୍ରୟାସ କରାଯାଇଛି ବୋଲି ବିଡ଼ିଓ କହିଛନ୍ତି। ଗତ ୧୬ ତାରିଖରେ ଭାରତ ସରକାରଙ୍କ ନୀତିଆୟୋଗ ସଦସ୍ୟ ଖୁସବୁ ସାୟାଦ ଝରିଗାଁ ବ୍ଲକ ଗସ୍ତ କରିବା ସମୟରେ ଏହି ଅଭିନବ ପ୍ରୟାସ ଯୋଜନା ଗୁଡିକୁ ଦେଖି ପ୍ରଶଂସା କରିଥିଲେ।






ଏହା ପରେ ଅଫିସିଆଲ ଟ୍ୱିଟର ପେଜ ରେ ଏ ସମ୍ପର୍କରେ ପ୍ରଂଶସା କରିଥିବା ଦେଖାଦେଇଛି । ଆଗାମୀ ଦିନରେ ବ୍ଲକର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଏଭଳି ଟ୍ରେନର ଅବିକଳ ଚିତ୍ର ବିଚିତ୍ରରେ ଶିଶୁ ଉପକୃତ ହୋଇପାରିବେ। ଏଥି ସହ ନବରଙ୍ଗପୁର ଜିଲ୍ଲା ଉଚ୍ଚ ପ୍ରଶଂସିତ ହୋଇପାରିବ ବୋଲି ଅଞ୍ଚଳବାସୀ ଆଶାବାଦୀ ରହିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ