ନବରଙ୍ଗପୁର: ହସ, ହସିବା ଓ ହସାଇବା ଆଜିର ଦିନରେ କମ କଥା ନୁହେଁ । ନିଜ ପାଟିରେ ବିଭିନ୍ନ ପ୍ରକାର ସ୍ଵର ବଦଳାଇ ମିମିକ୍ରି କରି ସେ ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ଵତନ୍ତ୍ର ପରିଚୟ । ନିଜ ସ୍ଵରର ଯାଦୁଗରୀରେ ମନ୍ତ୍ରମୁଗ୍ଧ କରିଦିଅନ୍ତି, ହସାଇ ହସାଇ ବେଦମ କରିଦିଅନ୍ତି ନବରଙ୍ଗପୁରର ସୁକୁରାମ । ଦୁଃଖ ଯନ୍ତ୍ରଣାକୁ ଛ।ତିରେ ଚାପି ଦେଇ ଅବିକଳ ସ୍ଵର ଉଚ୍ଚାରଣ ଅଭିନୟ କରି ଅନ୍ୟମାନଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନବରଙ୍ଗପୁର ସହରରେ ଗୁପଚୁପ ଦୋକାନୀ ସୁକୁରାମ ଗୁପ୍ତାଙ୍କୁ ନେଇ ଆମର ସ୍ଵତନ୍ତ୍ର ରିପୋର୍ଟ ।
ନାଁ ସୁକୁରାମ ଗୁପ୍ତା । ଘର ଡାବୁଗାଁ ହେଲେ କର୍ମ ସ୍ଥାନ ନବରଙ୍ଗପୁର ସହର । ପୁରା ସାଧାସିଧା ମଣିଷ । ହେଲେ ତାଙ୍କ ପାଖରେ ରହିଛି ଅନ୍ୟକୁ ଆପଣାର କରିବାର କଳା । ନିଜ ପାଟିରେ ବିଭିନ୍ନ ପ୍ରକାର ସ୍ଵରକୁ ନିଖୁଣ ଭାବେ ମିମିକ୍ରି କରିବାରେ ସେ ସିଦ୍ଧହସ୍ତ । ଆମ୍ବୁଲାନ୍ସ ଗାଡି ହେଉ କି ପୋଲିସର ପିସିଆର ଗାଡି, ସବୁ ସାଉଣ୍ଡ ତାଙ୍କ ପାଟିରେ । ଖାଲି ସେତିକି ନୁହେଁ, ମାଇ କୁକୁଡା, ଗଞ୍ଜା କୁକୁଡା, କୁକୁର, ମେଣ୍ଢା ଓ ଆଇସକ୍ରିମ ଗାଡି ହର୍ଣ୍ଣ ଭଳି ଶବ୍ଦକୁ ଅବିକଳ ଭାବେ ନକଲ କରୁଛନ୍ତି ସୁକୁରାମ ।
ଗତ ପାଞ୍ଚ ବର୍ଷ ଧରି ନିଜ ପାଟି ପାଇଁ ବେଶ ଲୋକପ୍ରିୟ ସେ । ନିଜ କାମରେ ଟିକେ ଫୁରସତ ମିଳିଲେ ସେ ଛକରେ ଥିବା ଦୋକାନ, ପେଟ୍ରୋଲ ପମ୍ପ ଓ ରାସ୍ତାରେ ଯାଉଥିବା ବେଳେ ଏପରି କରିଥାନ୍ତି । ନିଜର କଳା ବଳରେ ଅନ୍ୟମାନଙ୍କୁ ହସାଇ ପାରୁଥିବାରୁ ନିଜକୁ ଭାଗ୍ୟବାନ ମନେ କରନ୍ତି ସେ । ନିଜେ ହସି ଓ ଅନ୍ୟକୁ ହସାଇବା କଳା ସଭିଁଙ୍କ ପାଖରେ ନଥାଏ । ଆଉ ସୁକୁରାମଙ୍କ ଏହି କାମରେ ସହରବାସୀ ଖୁସ୍ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ