ନବରଙ୍ଗପୁର: ଜିଲ୍ଲାରେ ଥମୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ପରିବାର । ତେବେ ଅନେକ ସମୟରେ ଦାଦନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ଅନ୍ୟ କେତେବେଳ ବନ୍ଧା ପଡୁଛନ୍ତି ଶ୍ରମିକ । ଫଳରେ ବାପା ମାଆକୁ ଛାଡି ଆସହାୟ ଜୀବନ ବିତାଉଛନ୍ତି ଛୋଟ ନିଷ୍ପାପ ଶିଶୁ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି କିଛି ଦାଦନ ଦୁଃଖ ଘଟଣା ।
ଟଙ୍କା ପାଇଁ ରାଜ୍ୟ ବାହାରେ ବନ୍ଧା ପଡ଼ିଛନ୍ତି ଦାଦନ ଶ୍ରମିକ । ଦଲାଲଠାରୁ ମାଲିକ ପାଖରୁ ଟଙ୍କା ଆଣି ଫେରାର ଥିବାରୁ ହାଇଦ୍ରାବାଦର ମରଚାଲାର ଏକ ଇଟା ଭାଟିରେ ବନ୍ଧା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳର ୧୬ ଜଣ ମହିଳା ପୁରୁଷ ସହ ତିନି ଶିଶୁ । ମିଳିଥିବା ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ବାଞ୍ଜିଆମ୍ବା ଓ ଥାଟବେଢ଼ା ଗ୍ରାମର ପ୍ରାୟ ୧୫ ଜଣ ପେଟ ପାଟଣା ପାଇଁ ଦୁଇ ଦାଦନ ଦଲାଲଙ୍କ ମାଧ୍ୟମରେ ମୋଟା ଅଙ୍କର ଟଙ୍କା ଲୋଭରେ ହାଇଦ୍ରାବାଦ ମରଚାଲା ଇଟା ଭାଟିକୁ ଯାଇଥିଲେ । ସେଠାରେ କିନ୍ତୁ ପହଞ୍ଚିବା ପରେ ଦୁଇ ଦଲାଲ୍ ଗୁନଧର ହରିଜନ ଓ ବିଘ୍ନ ବାଗ ଭାଟି ମାଲିକଙ୍କଠାରୁ ଅଗ୍ରୀମ ଟଙ୍କା ଆଣି ଫେରି ଆସିଥିଲେ । ଏହା ପରଠାରୁ ପ୍ରାୟ ତିନି ମାସ ହେଲା ଭାଟି ମାଲିକ ମହିଳା, ଶିଶୁ ଓ ପୁରୁଷକୁ ବନ୍ଦୀ କରିଥିବା ଜଣାପଡିଛି । ଅଗ୍ରୀମ ଟଙ୍କା ଫେରସ୍ତ କଲା ପରେ ତାଙ୍କୁ ଭାଟି ମାଲିକ ଛାଡ଼ିବ ବୋଲି କହିଥିବା କହିଛନ୍ତି ଦାଦନ ଶ୍ରମିକ । ଅନ୍ୟପଟେ ବାପାମାଆଙ୍କୁ ପାଖରେ ନପାଇ କଷ୍ଟରେ ଜୀବନ ବଞ୍ଚାଉଛନ୍ତି ନିଷ୍ପାପ ଶିଶୁ । ତେବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।
ଏନେଇ ବନ୍ଦୀ ରହିଥିବା ଦାଦନ ଶ୍ରମିକଙ୍କ ସମ୍ପର୍କୀୟମାନେ ଗତ ଫେବୃଆରୀ ୨୪ ତାରିଖରେ ଝରିଗାଁ ଥାନରେ ଏତଲା ଦେଇଥିଲେ । କିନ୍ତୁ କୌଣସି ସୁଫଳ ମିଳିନାହିଁ । ଏହାପରେ ନବରଙ୍ଗପୁର ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ମୁତାବକ ଦାଦନଙ୍କୁ ଉଦ୍ଧାର କରାଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଳା ଶ୍ରମ ଅଧିକାରୀ ରଞ୍ଜନ ବେହେରା । ଏ ବାବଦରେ ତୁରନ୍ତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଶ୍ରମ ଆୟୁକ୍ତ ଅଧିକାରୀଙ୍କ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ସମ୍ପର୍କୀୟ ।
ଇଟିଭି ଭାରତ, ନବରଙ୍ଗପୁର