ନବରଙ୍ଗପୁର: ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଭବ୍ୟ ଲୋକ ମହୋତ୍ସବ ମଣ୍ଡେଇ ୨୦୨୩ ଉଦଘାଟିତ ହୋଇଯାଇଛି । ଏନେଇ ଚଳଚଞ୍ଚଳ ନବରଙ୍ଗପୁର ଜିଲ୍ଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ବିରାଟ ପଟୁଆରରେ ଭିମା ଭିମାଣୀଙ୍କ ଉଦ୍ଦେଶ୍ୟରେ ବାହାରି ଥିଲେ । ସେଠାରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମଣ୍ଡେଇ ପଡ଼ିଆ ଅଭିମୁଖେ ବାହାରିଥିଲା । ଜିଲ୍ଲାର ବିଭିନ୍ନ ଲୋକ ନୃତ୍ୟ ଦଳ ଏଥିରେ ଯୋଗଦେଇ ଲୋକକଳା ପ୍ରଦର୍ଶିତ କରିଥିଲେ ।
ଓଡ଼ିଶୀ ଓ ଢେମସା ନୃତ୍ୟରେ ଦୁଲୁକି ଉଠିଥିଲା ନବରଙ୍ଗପୁର ସହର । ଶୋଭାଯାତ୍ରା ମଣ୍ଡେଇ ପଡ଼ିଆଠାରେ ପହଞ୍ଚିବା ପରେ ସେଠାରେ ଜନଜାତିମାନଙ୍କ କୃଷି ଦେବତା ଭୀମା ଭୀମଣିଙ୍କ ସ୍ଥାପନା ସହ ମଣ୍ଡେଇ ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ଏଥିସହ ପଲ୍ଲୀଶ୍ରୀ ମେଳା ମଧ୍ୟ ଉଦଘାଟିତ ହୋଇଥିଲା । 3 ଦିନ ଧରି ମଣ୍ଡେଇର ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ୫ ଦିନ ଧରି ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ । ଚଳିତ ବର୍ଷ ବିଗତ ବର୍ଷ ତୁଳନାରେ ୧୨୫ ଗୋଟି ଷ୍ଟଲ୍ ଅଧିକ କରାଯାଇଛି । ମଣ୍ଡେଇ ପଡ଼ିଆରେ ମୋଟ ୩୬୦ ଗୋଟି ଷ୍ଟଲ୍ କରାଯାଇଥିବା ବେଳେ ସରକାରୀ ୩୦, ହସ୍ତତନ୍ତ ୩୦, ଆଦିବାସୀ ଅଳଙ୍କାର ୫, ନାବାର୍ଡ ୫, ବେସରକାରୀ ୧୫୦, ଖାଦ୍ୟ ୨୨, ଅଗ୍ନିଶମ ଓ ପ୍ରାଥମିକ ଚିକିତ୍ସା ପାଇଁ ଗୋଟିଏ ଲେଖାଏଁ ଷ୍ଟଲ୍ ଓ ପୋଲିସ କଣ୍ଟ୍ରୋଲ ପାଇଁ ୨ ଗୋଟି ରୁମ୍ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ଉଦଘାଟିତ ହେଲା ଲୋକ ମହୋତ୍ସବ ମଣ୍ଡେଇ
ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସାଂସ୍କୃତିକ ପରିଷଦ ଡ. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ମଣ୍ଡେଇ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷିତ ହୋଇଛି । ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମେ ଓଡ଼ିଶୀ ନୃତ୍ୟରୁ ଆରମ୍ଭ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାର ପ୍ରତିଭାଙ୍କୁ ସୁଯୋଗ ଦିଆଯାଇଥିଲା । ସୁରକ୍ଷା ସକାଶେ CCTV କ୍ୟାମେରା ଓ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିଲା । ତେବେ କାର୍ଯ୍ୟକ୍ରମରେ ରାଜ୍ୟ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ଆଦିବାସୀ ଜିଲ୍ଲା ଉନ୍ନୟନ ପରିଷଦ ଉପାଦେଷ୍ଟା ପ୍ରଦୀପ ମାଝୀ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ରାଜ୍ୟସଭା ସଦସ୍ୟ ମିଜୁବୁଲା ଖାନ୍ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଇଟିଭି ଭାରତ, ନବରଙ୍ଗପୁର