ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବନ ବିଭାଗ ପକ୍ଷରୁ ସ୍ଥାନୀୟ ଚରକ ବନରେ ଏକ ଗୁରୁତ୍ବର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼. ଅଜିତ କୁମାର ମିଶ୍ର, ଏସପି ପ୍ରହଲ୍ଲାଦ ମିନା, ଜିଲ୍ଲା ବନ ଅଧିକାରୀ ମଗର ଧନଜି ରାଓସେ ଏଥିରେ ଯୋଗଦେଇଥିଲେ । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଜିଲ୍ଲାର ପ୍ରତ୍ୟକ ରେଞ୍ଜରେ 6ଟି ଅଗ୍ନିଯୋଦ୍ଧା ସ୍କୁଆଡ୍ ଗଠନ କରାଯାଉଛି । ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରାଯାଉଛି, ଜଙ୍ଗଲ ଅଗ୍ନି ପ୍ରତିରୋଧ ଓ ନିୟନ୍ତ୍ରଣ କାର୍ଯ୍ୟରେ ସମସ୍ତ ଲୋକ ପ୍ରତିନିଧି, ବନ ସୁରକ୍ଷା ସମିତି ସଦସ୍ୟ ଓ ସାଧାରଣ ଲୋକ ସ୍ୱ-ଇଛାରେ ଆଗେଇ ଆସି ଏହି କାଯ୍ୟରେ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।
ଅନ୍ୟପଟେ ବନବିଭାଗ ପ୍ରତ୍ୟକ ଗ୍ରାମ ବୁଲି ଆରମ୍ଭ କରିଛି ସଚେତନତା ଅଭିଯାନ କାର୍ଯ୍ୟକ୍ରମ । ବନ ବିଭାଗ ତରଫରୁ ହାଟ ମାନଙ୍କରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା କରାଯାଇ, ନିଆଁ ଦ୍ବାରା ହେଉଥିବା କ୍ଷୟକ୍ଷତି ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ନିଜେ ଜଙ୍ଗଲ ତଥା ଏହାର ଆଖପାଖ ଅଞ୍ଚଳରେ ନିଆଁ ନଲଗାଇବା ସଚେତନ କରାଯାଇଛି । ଏଥି ସହିତ ଯଦି କେହି ଜଙ୍ଗଲରେ ନିଆଁ ଲଗାଉଛନ୍ତି ସେଥିରୁ ତାଙ୍କୁ ବାରଣ କରିବା ତଥା ଜଙ୍ଗଲରେ ନିଆଁ ଲଗାଇଲେ ବନ ବିଭାଗକୁ ତୁରନ୍ତ ସୂଚନା ଦେବାକୁ ଲୋକଙ୍କୁ ସଚେତନ କରାଯାଉଛି ।
ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ତାକୁ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଲୋକଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ନବରଙ୍ଗପୁରର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତରେ ଥିବା ଓ ଯେଭଳି ଏହି ନିଆଁ ଆଗକୁ ଆଉ ଲାଗିବ ନାହିଁ ତେଣୁ, ବନ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲା ବନଖଣ୍ଡ ଅଧିକାରି ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ