ନବରଙ୍ଗପୁର: କୋରୋନା ସଂକ୍ରମଣକୁ ରୋକିବା ଲାଗି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ମୃଗବିହାର ବନ୍ଦ ରହିବ । ଏନେଇ ମୃଗ ବିହାର ଫାଟକରେ ପୋଷ୍ଟର ମାଧ୍ୟମରେ ପର୍ଯ୍ୟଟକଙ୍କୁ ଅବଗତ କଲା ପ୍ରଶାସନ ।
ନବରଙ୍ଗପୁର ପାପଡାହାଣ୍ଡିଠାରେ ଥିବା ମୃଗ ବିହାର (ମିନି ଚିଡିଆଖାନା)କୁ ରବିବାରଠାରୁ ପର୍ଯ୍ୟଟକ ପାଇଁ ବନ୍ଦ କରି ଦିଆଯାଇଛି । ଜିଲ୍ଲା ବନବିଭାଗ ତରଫରୁ ଏନେଇ ଗେଟ୍ରେ ତାଲା ପକାଇ ବନ୍ଦ କରାଯାଇଥିବା ଦେଖାଦେଇଛି ।
ନବରଙ୍ଗପୁର ପାପଡାହାଣ୍ଡିଠାରେ ଥିବା ଏହି ମୃଗ ବିହାର ନବରଙ୍ଗପୁରର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ଏଥିରେ ଥିବା ଶହ ଶହ ମୃଗ ତଥା ଅନ୍ୟ ପଶୁ, ପକ୍ଷୀଙ୍କୁ ଦେଖିବା ପାଇଁ ଓ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ତେଣୁ ଭବିଷ୍ୟତରେ କୌଣସି ସଂକ୍ରମଣର ଆଶଙ୍କା କରି ଜିଲ୍ଲା ପ୍ରଶାସନ ତରଫରୁ ଏହାକୁ ବନ୍ଦ କରିଦେଇଛି । ବର୍ତ୍ତମାନ ସରକାର କୋରୋନା ଭାଇରସକୁ ନେଇ ଲୋକଙ୍କୁ ସଚେତନ କରାଇବା ସହ ବିଭିନ୍ନ ସିନେମା ହଲ, ସ୍କୁଲ, କଲେଜ, ଚିଡ଼ିଆଖାନା ଗୁଡିକକୁ ଆସନ୍ତା ମାର୍ଚ୍ଚ 31ତାରିଖ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହାକୁ ଆଧାର କରି ନବରଙ୍ଗପୁର ବନ ଅଧିକାରୀ ପାପଡାହାଣ୍ଡି ମୃଗ ବିହାରକୁ ଆସନ୍ତା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖିବା ଲାଗି ଗେଟରେ ପୋଷ୍ଟର ମାରି ତାଲା ପକେଇ ଦେଇଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ