ନବରଙ୍ଗପୁର: ଭାସ୍କେଲ ନଦୀରେ ବୁଡି ଦୁଇ ନାବାଳିକା ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି କୋଷାଗୁମୁଡା ବ୍ଲକର ରୁନିଗୁଡା ଗାଁରେ । ମଙ୍ଗଳବାର ରୁନିଗୁଡା ଗାଁର ସମଦୁପୂଜାରୀଙ୍କ ଝିଅ ଓ ତାଙ୍କ ସାନ ଭାଇ ଡମ୍ବରୁଧର ପୂଜାରୀଙ୍କ 6 ବର୍ଷର ଝିଅ ଜୟମଣି ଓ 7 ବର୍ଷର ହେମବତୀ ଆଖୁ ପେଡିବା ପାଖକୁ ଯିବାକୁ କହି ଘରୁ ବାହାରିଥିଲେ । କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ । ଦୁହିଁକୁ ପରିବାର ଲୋକଙ୍କ ପକ୍ଷରୁ ଖୋଜାଖୋଜି କରିବା ପରେ ସନ୍ଧ୍ୟାରେ ସେମାନଙ୍କ ମୃତଦେହ ଗାଁ ନିକଟସ୍ଥ ଭାସ୍କେଲ ନଦୀରେ ଭାସୁଥିବାର ଦେଖିବାକୁ ପାଇଥିଲେ ।
ଏନେଇ ପରିବାର ପକ୍ଷରୁ କୋଶାଗୁମୁଡ଼ା ଥାନାରେ ଏତଲା ଦିଆଯାଥିଲା । ଖବରପାଇ ପୋଲିସ ଓ ଅଗ୍ନିଶମ ବିଭାଗ ମୃତଦେହକୁ ନଦୀରୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଉକ୍ତ ଦୁଇ ନାବାଳିକା ଗାଧୋଇବା ସମୟରେ ଗୋଡ ଖସିଯାଇ ମୃତ୍ୟୁବରଣ କରିଥିବା ପ୍ରାଥମିକ ପର୍ଯ୍ୟାୟରେ ସନ୍ଦେହ କରାଯାଉଛି । ଅନ୍ୟପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ