ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଗ୍ରାମପଞ୍ଚାୟତରୁ ଅନ୍ତର୍ଗତ ବାଲିପୋଷୀ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକଙ୍କ ଜରିଆରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମୃତକ ଜଣକ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡା ଅଙ୍କୁରା ଗ୍ରାମର ଗୋବର୍ଦ୍ଧନ ନାଏକଙ୍କ ପୁଅ ମଙ୍ଗୁଳୁ ନାଏକ (୨୦) ବୋଲି ଜଣାପଡିଛି । ତେବେ ଯୁବକ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ ଜିଲ୍ଲାସ୍ଥିତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିପୋଷୀ ଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ସାହାଯ୍ୟରେ ଜଣେ ଯୁବକ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଖବର ପାଇ ଠାକୁର ମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥିସହ ପୋଲିସ ଜବତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ