ରାଇରଙ୍ଗପୁର: କରଞ୍ଜିଆ NAC ଭୁଲି ଗଲା କି ନୀତି ନିୟମ ! ବିକାଶ କରିବାକୁ ଯାଇ କିଛି ପରିବାରଙ୍କୁ ଠେଲିଦେଲାକୁ ହଇରାଣ ହରକତକୁ ? ଏଭଳି ସାଂଘାତିକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ NAC ୧୨ ନମ୍ବର ୱାର୍ଡରୁ ।
ଅଭିଯୋଗ ଅନୁସାରେ ନିକଟସ୍ଥ ମୋଡାଗାଡିଆ ପୋଖରୀର ପଙ୍କ ଉଦ୍ଧାର ପାଇଁ 2 ମାସ ତଳେ ଟେଣ୍ଡର ହୋଇଥିଲା । ତେବେ ପୋଖରୀରେ ପାଣି ଥିବାରୁ ଘାଇ କାଟି ପାଣି ଶୁଖାଯାଇବାକୁ ଯୋଜନା ହୋଇଥିଲା । ଆଉ ତାହା ମଧ୍ୟ ହୋଇଥିଲା । ହେଲେ ପୋଖରୀ ନିକଟରେ ଥିବା ବିଜୟ ଦେହୁରି ଓ ପଡୋଶୀଙ୍କ ଘରେ ଆସି ପଶିଥିଲା ପାଣି । ସ୍ଥିତି ଏପରି ହୋଇଥିଲା ଯେ ଘର, ଗୁହାଳ ସବୁ ପାଣି ପାଣି ହୋଇଯାଇଥିଲା । ଆଉ ଅଦିନରେ ଶୀତ ସମୟରେ ଘରେ ପାଣି ପଶିବା ପରେ ଦୁର୍ଦ୍ଦଶା କହିଲେ ନସରେ ।
ଫଳରେ ଘରେ ଥିବା ଧାନ, ଚାଉଳ ଆସବାପତ୍ର ପାଣିରେ ଭାସିଥିବା ଅଭିଯୋଗ କରିଛନ୍ତି ଉଭୟ ପରିବାର । ଏପରି ସ୍ଥିତିରେ କଣ ଖାଇବେ କେଉଁଠି ରହିବେ ତାହାକୁ ନେଇ ଚିନ୍ତାରେ ଏବେ ଉଭୟ ପରିବାର ।
ସେପଟେ ଘଟଣାକୁ ନେଇ କରଞ୍ଜିଆ ନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ ଏ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି । ଯଦି ଏପରି କିଛି ହୋଇଥାଏ ତେବେ ତଦନ୍ତ କରି କ୍ଷତିପୂରଣ କରଞ୍ଜିଆ NAC ପକ୍ଷରୁ ଯୋଗାଇ ଦିଆଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ