ରାଇରଙ୍ଗପୁର: ପ୍ରଥମ ପତ୍ନୀ ଥାଇ ସ୍ବାମୀଙ୍କୁ ମହଙ୍ଗା ପଡିଲା ଦ୍ବିତୀୟ ବିବାହ । ବିବାହ ମଣ୍ଡପରୁ ବରକୁ ଉଠାଇନେଲା ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ। କୋରୋନା କଟକଣା ପାଇଁ ନିରାଡ଼ମ୍ବର ଭାବରେ ରାଇରଙ୍ଗପୁରର ଚୌବେ ଧର୍ମଶାଳାରେ ଚାଲିଥିଲା ବିବାହ। ସବୁକିଛି ଠିକ୍ ଥିଲା, ମହୁରୀ ସମାଜର ରୀତିନୀତି ଓ ପରମ୍ପରା ଅନୁସାରେ ବିବାହ କାର୍ଯ୍ୟ ଆଗେଇ ଚାଲିଥିଲା । ହାତଗଣ୍ଠି ମଧ୍ୟ ପଡିଯାଇଥିଲା । ଆଉ ମାତ୍ର କିଛି ସମୟ ପରେ ଶେଷ ହୋଇଥାନ୍ତା ବିବାହ ଉତ୍ସବ ।
ତେବେ ହଠାତ ବିବାହ ମଣ୍ଡପରେ ପୋଲିସ ପହଞ୍ଚି ବରକୁ ଉଠାଇନେଇଥିଲା ପୋଲିସ। । ଏହାପରେ ହଟ୍ଟହଟ୍ଟା ହୋଇଥିଲେ ଉଭୟ ବର ଓ କନ୍ୟା ପରିବାର।
ସୂଚନା ଅନୁଯାୟୀ ବିବାହ କରୁଥିବା ଯୁବକ ଜଣଙ୍କ ହେଉଛନ୍ତି ଠାକୁରମୁଣ୍ଡା ଥାନା ବସନ୍ତପୁର ଗ୍ରାମର ଜିତେନ୍ଦ୍ର ରାମ । ସେ ପୂର୍ବରୁ ବିହାହିତ ଓ ପ୍ରଥମ ପତ୍ନୀଙ୍କ ସହ ଦୀର୍ଘ ବର୍ଷ ବୈବାହିକ ଜୀବନ ଅତିବାହିତ କରିଛନ୍ତି । ସ୍ବାମୀ ଦ୍ବିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ସ୍ତ୍ରୀ ମଲିକା ହେମ୍ବ୍ରମ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଠାକୁରମୁଣ୍ଡା ପୋଲିସ ବିବାହ ମଣ୍ଡପରେ ପହଞ୍ଚି ବିବାହ ବନ୍ଦ କରିବା ସହ, ବରକୁ ଥାନାକୁ ନେଇଯାଇଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ