ରାଇରଙ୍ଗପୁର: ନୂଆବର୍ଷର ସେଲିବ୍ରେସନ ଜୋର ଧରିବା ସହିତ ଏବେ ପିକନିକ୍ ଋତୁ ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ। ସମସ୍ତେ ନିଜ ନିଜ ସାଙ୍ଗସାଥୀ ଏବଂ ପରିବାର ବର୍ଗଙ୍କୁ ଧରି ନୂଆ ନୂଆ ଜାଗାକୁ ଯାତ୍ରାକରି ମଉଜମସ୍ତି, ଭୋଜିଭାତ କରି ସେ ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ମାହୋଲର ମଜା ଉଠାଉଛନ୍ତି ।
ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ମୟୁରଭଞ୍ଜ ଜିଲ୍ଲାରେ ଏପରି ବହୁତ ସ୍ଥାନ ଅଛି ଯାହାକୁ ଦେଖି ପର୍ଯ୍ୟଟକମାନେ ଏହାର ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିବା ସହିତ ଏଠାରେ ବଣଭୋଜି କରି ମଜା ଉଠାଇଥାନ୍ତି । ଦେଖନ୍ତୁ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଅଞ୍ଚଳରେ ଥିବା ଅସୁରଘାଟି ଜଳପ୍ରପାତ ନେଇ ‘ଇଟିଭି ଭାରତ’ର ସ୍ବତନ୍ତ୍ର ରିପୋର୍ଟ ।
ରାଇରଙ୍ଗପୁର ସହର ଠାରୁ ୧୪ କିମି ଦୂରରେ ରହିଛି ଅସୁରଘାଟି ଜଳପ୍ରପାତ। ସହରରୁ ଗୋରୁମହିଷାଣୀ ଯିବା ବାଟରେ ସୁଣ୍ଢଳ ଗ୍ରାମରୁ ଡାହାଣ ପଟ ରାସ୍ତାରେ ଗଲେ ସିଧା ଅସୁରଘାଟି ଜଳପ୍ରପାତ ପଡେ । କିମ୍ବଦନ୍ତୀ କୁହେ ଏହି ସ୍ଥାନରେ ଭୀମ ଷଣ୍ଢାସୁର ନାମକ ଅସୁରକୁ ବଦ୍ଧ କରିଥିବାରୁ ଏହାର ନାମ ଅସୁରଘାଟି ରହିଛି । ଗଛଲତା ଭରା ସୁନ୍ଦର ପାହାଡ, ବିଭିନ୍ନ ପ୍ରକାର ଚଢେଇଙ୍କ କିଚିରି ମିଚିରି ରାବ ଏବଂ ପଥର ଦେଇ ବହି ଯାଉଥିବା ଝରଣାର କଳକଳ ଶବ୍ଦ ପର୍ଯ୍ୟଟକଙ୍କୁ ବର୍ଷତମାମ ଏଠାକୁ ଟାଣିଥାଏ ।
ବର୍ଷତମାମ ଏଠାରେ ଗହଳି ଲାଗୁଥିଲେ ସୁଦ୍ଧା ଏହି ଅସୁରଘାଟି ଜଳପ୍ରପାତକୁ ଏବେ ସୁଦ୍ଧା ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିନାହିଁ । ଆଉ ଏଠାକୁ ଯିବାକୁ ହେଲେ ଅଣଅସାରିଆ ରାସ୍ତା ଦେଇ ବିପଦସଂକୁଳ ଅବସ୍ଥାରେ ପର୍ଯ୍ୟଟକଙ୍କୁ ଯିବାକୁ ପଡିଥାଏ । ତା ସହିତ ନା ଅଛି ପାନୀୟ ଜଳର ସୁବିଧା ନା ଶୌଚାଳୟ । ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ନାହିଁ ।
ଫଳରେ ସ୍ଥାନୀୟ ଲୋକଙ୍କ ଠୁ ଆରମ୍ଭ କରି ପର୍ଯ୍ୟଟକଙ୍କ ମନରେ ଅଶାନ୍ତି ଦେଖାଦେଇଛି । ଅସୁରଘାଟିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ସହ ଏହାର ଉନ୍ନତିକରଣ କରାଗଲେ ରାଜ୍ୟ ତଥା ବାହାରର ପର୍ଯ୍ୟଟକ ମଧ୍ୟ ଏଠାକୁ ଆସିବା ପାଇଁ ନିଶ୍ଚିତରୂପେ ଆଗ୍ରହ ପ୍ରକାଶ କରିବେ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ