ରାଇରଙ୍ଗପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୀର ମାଡ । ତେବେ ଏହି ତୀର ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧୀନ କୁକୁଡିମୁଣ୍ଡି ଗ୍ରାମରେ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଗତକାଲି(ମଙ୍ଗଳବାର) ସନ୍ଧ୍ୟା ୭ ସମୟରେ କୁକୁଡିମୁଣ୍ଡି ଗ୍ରାମର ସମରା ଦେହୁରୀ ନିଜ ଘର ବାହାରେ ସପରିବାର ସହ ଛିଡ଼ା ହୋଇଥିବା ବେଳେ ସେହି ଗ୍ରାମର ଛୋଟରାୟ ଦେହୁରୀ ଅଚାନକ ତାଙ୍କ ଉପରକୁ ତୀର ମାଡ଼ କରିଥିଲେ । ତୀରଟି ତାଙ୍କ ଛାତିରେ ବାଜି ପିଠି ପଟେ ବାହାରି ଯାଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ପୂର୍ବରୁ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରା ଯାଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଛୋଟରାୟ ଦେହୁରୀ ଫେରାର ହୋଇ ଯାଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ଜାଣି ଗୋରୁମହିଷାଣୀ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଜଙ୍ଗଲରେ ଚଢ଼ାଉ କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ