ରାଇରଙ୍ଗପୁର: ୫ ବର୍ଷ ପରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀ ଯୁବକକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ଆସାମୀ ଜଣକ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ନାନ୍ଦୁଆ ଗ୍ରାମର ଠାକୁର ସୋରେନ । ୨୦୧୮ ମସିହାରେ ଏହି ଘଟଣା ଘଟିଥିଲା । ଜଣେ ବିବାହିତ ମହିଳା ଶୌଚ ଯାଇଥିବା ବେଳେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା । ଶୁକ୍ରବାର ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଏହି ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡ ସହ ୫୦୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ଶୁଣାଇଛନ୍ତି ।
ସୂଚନା ଅନୁଯାୟୀ, ୨୦୧୮ ମସିହା ମେ' ୧୬ ତାରିଖ ଦିନ ରାଇରଙ୍ଗପୁର ଅଞ୍ଚଳରୁ ଏହି ଲଜ୍ଜା ସାମ୍ନାକୁ ଆସିଥିଲା । ଜନୈକା ବିବାହିତା ମହିଳା ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ଠାକୁର ସୋରେନ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ପୀଡିତା ଜଣକ ତାଙ୍କ ସ୍ବାମୀ ଓ ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ଅଭିଯୁକ୍ତ ଜଣକ ପୀଡିତାଙ୍କ ଘରେ ଭଡ଼ାରେ ରହୁଥିବାରୁ ପୀଡିତା ଓ ତାଙ୍କ ପରିବାର ଲୋକଙ୍କୁ ମାରପିଟ୍ କରିବା ସହିତ ଧମକ ଚମକ ଦେଇଥିଲା । ଏନେଇ ମହିଳା ଜଣକ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ବିଲକୁ ଯାଇଥିବା ବେଳେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ପୀଡିତାଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୋଲିସ ଘଟଣାରେ ତଦନ୍ତ କରି ଅଭିଯୁକ୍ତ ଠାକୁର ସୋରେନକୁ ଗିରଫ କରିଥିଲା ଏବଂ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିଲା । ଗତକାଲି(ଶୁକ୍ରବାର) ରାଇରଙ୍ଗପୁର ଅତିରିକ୍ତ ଜିଲା ଓ ଦୌରାଜଜ ଏହି ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି । ବିଚାରପତି ଦୀପକ କୁମାର ସମସ୍ତ ସାକ୍ଷୀ, ପ୍ରମାଣ ଓ ତଥ୍ୟକୁ ଭିତ୍ତି କରି ଅଭିଯୁକ୍ତ ଠାକୁର ସୋରେନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ୧୦ ବର୍ଷର ଜେଲଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଶୁଣାଇଛନ୍ତି ।
ମାମଲାର ଶୁଣାଣି ସମୟରେ ୧୩ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସର ରିପୋର୍ଟକୁ ବିଚାରକୁ ନିଆଯାଇଥିଲା । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ । ରାୟ ପ୍ରକାଶ ପାଇବା ପରେ ଆସାମୀ ଠାକୁର ସୋରେନକୁ ରାଇରଙ୍ଗପୁର ଉପ କାରାଗାରକୁ ପଠାଇ ଦିଆଯାଇଛି ।
ଇଟିଭି ଭାରତ, ରାଇରଙ୍ଗପୁର