ରାଇରଙ୍ଗପୁର : ପୁଣି କଳା ପଲସର୍ ଲୁଟେରାଙ୍କ ଆତଙ୍କ । ଦିନ ଦିପହରରେ ଲୁଟିନେଲେ ଲକ୍ଷେ ଟଙ୍କା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ବ୍ୟସ୍ତବହୁଳ କଲେଜଛକ ନିକଟରୁ ହିଁ ଝାମ୍ପିନେଲେ ପୁରାପୁରି ଲକ୍ଷେ ଟଙ୍କା । ଲୁଟର ଶିକାର ହୋଇଛନ୍ତି ଜଣେ ଅବସର ପ୍ରାପ୍ତ ଶିକ୍ଷକ । ତାଙ୍କ ନାଁ ରହିଣା ମହାନ୍ତ ଓ ସେ କରଞ୍ଜିଆ ବ୍ଲକ ଘୋଡାଘଗୁରି ଗାଁର ବାସିନ୍ଦା ବୋଲି ଜଣାପଡିଛି ।
ସେ ସ୍ଥାନୀୟ ଏସବିଆଇ ବ୍ରାଞ୍ଚରୁ ନିଜ ଏକାଉଣ୍ଟରୁ ଟଙ୍କା କାଢି ଘରକୁ ଫେରୁଥିବାବେଳେ ଏକ କଳା ପଲସରରେ ଦୁଇଜଣ ଲୁଟେରା ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ଦ୍ରୁତ ଗତିରେ ଚମ୍ପଟ ମାରିଥିଲେ । ତେବେ ତାଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କ ଗତିବିଧିକୁ ନେଇ ଅଧିକ ତନାଘନା ଚଳାଇବା ସହ ବ୍ୟାଙ୍କର ଓ କରଞ୍ଜିଆ ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ଅନେକ ସିସିଟିଭି ଫୁଟେଜକୁ ବର୍ତ୍ତମାନ ଯାଞ୍ଚ କରୁଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ