ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଶଗଡ଼ିଆ ଗ୍ରାମରେ ଅଭାବନୀୟ ଘଟଣା । ନିଆଁରେ ପୋଡ଼ି ହୋଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଯୁବତୀ ଜଣକ ନିଜ ଘରେ ଥିବା ବେଳେ ନିଆଁ ଲାଗି ଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ନିଆଁ ଲାଗିବା ବେଳେ ସେଠାରେ ଜଣେ ଯୁବକ ଉପସ୍ଥିତ ଥିବାରୁ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୋଲିସ ଯୁବକଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ମୃତ ଯୁବତୀ ଜଣକ ହେଉଛନ୍ତି ଖୁଣ୍ଟା ଥାନା ଅନ୍ତର୍ଗତ ଲକ୍ଷ୍ମଣସାହି ଗ୍ରାମପଞ୍ଚାୟତ ଅଧିନ କୁଶଗଡିଆ ଗ୍ରାମର ଭୁଣ୍ଡା ମାରାଣ୍ଡିଙ୍କ ୧୮ ବର୍ଷର ଝିଅ ଲଛମଣୀ ମାରାଣ୍ଡି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଲଛମଣୀଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ପ୍ରେମ ଜାଲରେ ଫସାଇଥିଲେ । ଶୁକ୍ରବାର ରାତିରେ ଲଛମଣୀ ନିଜ ଘରେ ଥିବା ବେଳେ ତାଙ୍କ ଘରକୁ ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଲଛମଣୀର ପ୍ରେମିକ ଜଣକ ଲୁଚି କରି ଦେଖା କରିବାକୁ ଆସିଥିଲେ ।
ଏହାମଧ୍ୟ ପଢନ୍ତୁ.. ଅଳିଆ ଗଦାରେ ନିଆଁ ଲାଗି ବିସ୍ଫୋରଣ, ଦୁଇ ଶିଶୁ ଗୁରୁତର
ସେହି ସମୟରେ ଯୁବତୀଙ୍କ ଦେହରେ ନିଆଁ ଲାଗିଯିବାରୁ ଯୁବତୀ ଜଣକ ଜୋରରେ ପାଟି କରିଥିଲେ । ଫଳରେ ଘରେ ଶୋଇଥିବା ପରିବାର ଲୋକେ ଉଠି ପଡ଼ି ଝିଅକୁ ଜଳୁଥିବା ଦେଖି ତୁରନ୍ତ ନିଆଁ ଲିଭାଇଥିଲେ । ପାଖ ପଡୋଶୀଙ୍କ ସହାୟତାରେ ପରିବାର ଲୋକେ ଝିଅକୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଯୁବତୀଙ୍କ ଶରୀରର ପାଖାପାଖି ୮୦ ଭାଗ ନିଆଁରେ ପୋଡ଼ି ଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତୁରନ୍ତ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ ଡାକ୍ତର । ତେବେ ଚିକିତ୍ସିତ ଅବସ୍ଥାରେ ଶନିବାର ଦିନ ପ୍ରାୟ ୧ଟା ସମୟରେ ଲଛମଣୀଙ୍କ ମୃତ୍ୟୁ ହୋଇଛି ।
ସେପଟେ ପରିବାର ଲୋକେ ଏ ସମ୍ପର୍କରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିସହ ପରିବାର ଲୋକେ ଉକ୍ତ ଯୁବକକୁ ଧରି ଆଣି ଖୁଣ୍ଟା ଥାନାରେ ପୋଲିସ ଜିମା ଦେଇଥିଲେ । ଅନ୍ୟପଟେ ଅଭିଯୋଗ ପାଇବା ପରେ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ପଠାଇଥିଲେ । ତେବେ ଯୁବତୀଙ୍କ ଦେହରେ ନିଆଁ କିପରି ଲାଗିଲା, ନା ଯୁବକ ଜଣକ ନିଆଁ ଲଗାଇ ଦେଇଥିଲେ ସେ ସବୁର କାରଣ ଖୋଜିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।
ଇଟିଭି ଭାରତ, ରାଇରଙ୍ଗପୁର