ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରୁ ଗୁରୁବାର ପୁଣି ୧୨୩ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଳାରେ ଗୁରୁବାର ସୁଦ୍ଧା ମୋଟ କୋରୋନା ପଜିଟିଭ ସଂଖ୍ୟା ୮୧୮୦ରେ ପହଞ୍ଚିଛି । ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ସଂଖ୍ୟା ଠାରୁ କେବଳ ସେପ୍ଟେମ୍ବର ମାସରେ ଅଧାରୁ ଅଧିକ ଅର୍ଥାତ ୪୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେବଳ ସେପ୍ଟେମ୍ବର ମାସରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବିଶେଷ କରି ବାରିପଦା ସହରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେପ୍ଟେମ୍ବର ମାସ ୨୭ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ ପକ୍ଷରୁ ୭ ଦିନ ପାଇଁ ବନ୍ଦ ଡାକରା ଦିଆଯାଇଛି ।
ଅନ୍ୟପକ୍ଷରେ ଜିଲ୍ଲାରେ ମୋଟ ୨୬ଟି ବ୍ଲକରୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଡ଼ସାହି ବ୍ଲକରେ ସର୍ବାଧିକ ରହିଛି । ବଡ଼ସାହି ବ୍ଲକରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୯୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତ ୮୧୮୦ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୮୧୪ ଜଣ ସୁସ୍ଥ ହୋଇଥିବାବେଳେ ୧୩୪୦ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ