ବାରିପଦା: ଶିଶୁ ବଦଳର ଅଭିଯୋଗ ଆଣିଲେ ଦମ୍ପତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲର ଏସଏନସିୟୁ ବିଭାଗରେ । ଏହି ଘଟଣାକୁ ନେଇ ବାରିପଦା ଟାଉନଥାନାରେ ଲିଖିତ ଅଭିଯୋଗ କରିବାପରେ, ମଙ୍ଗଳବାର ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ମେଡ଼ିକାଲ କର୍ତ୍ତୃପକ୍ଷ ନିଜ ଭୁଲ ସ୍ବୀକାର କରିଥିବା ବେଳେ ଡିଏନଏ ଟେଷ୍ଟ ହେବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି ମେଡ଼ିକାଲ ସୁପରିଟେଣ୍ଡଣ୍ଟ ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୬ ତାରିଖରେ ବାରିପଦା ସଦରଥାନା ଅନ୍ତର୍ଗତ ଜାମବଣି ଗ୍ରାମର କାର୍ତ୍ତିକ ସିଂଙ୍କର ସ୍ତ୍ରୀ ରଇବାରୀଙ୍କୁ ପ୍ରସବ ବେଦନା ହେବାରୁ ବାରିପଦା ସ୍ଥିତ ପିଆରଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ରଇବାରୀ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ନବଜାତ ଶିଶୁଟି ଜନ୍ମ ସମୟରେ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନାର ଏସଏନସିୟୁ ବିଭାଗରେ ଭର୍ତ୍ତି କରାଯାଇଥିଲା ।
ତେବେ ମେ ୦୫ ତାରିଖରେ ଶିଶୁଟି ସୁସ୍ଥ ହୋଇଯିବାରୁ ହସପିଟାଲରୁ ମା ଓ ଛୁଆ କୁ ଡିସଚାର୍ଜ କରାଯାଇଥିଲା । ସୋମବାର ଶିଶୁଟିକୁ କିଛି ଟିକା ଦେବାର ବାକି ଅଛି ବୋଲି କହି ଆଶାକର୍ମୀଙ୍କୁ ଫୋନ ମାଧ୍ୟମରେ ଏସଏନସିୟୁକୁ ବିଭାଗୀୟ କର୍ମଚାରୀ ଡକାଇଥିଲେ । ଡାକ୍ତରଖାନାରେ ଦିନ ୪ଟା ସମୟରେ କାର୍ତ୍ତିକ ସିଂ ନିଜ ସ୍ତ୍ରୀ ଓ ଶିଶୁଟିକୁ ନେଇ ପହଞ୍ଚି ଡକାଇଥିବା ବିଭାଗରେ ଦେଖାକରିଥିଲେ । ସେଠାରେ କାର୍ଯ୍ୟରତ କର୍ମଚାରୀ ମାନେ ଶିଶୁଟିର ସମସ୍ତ ପୋଷାକ ଖୋଲା କରାଇ ଦମ୍ପତିଙ୍କ ଠାରୁ କିଛି କାଗଜପତ୍ରରେ ଦସ୍ତଖତ କରାଇବା ସହ ବାହାରେ ରହି ଅପେକ୍ଷା କରିବାକୁ କହିବା ସହ ଶିଶୁଟି ଭିତରକୁ ନେଇଯାଇଥିଲେ । ଅଳ୍ପ ସମୟ ପରେ ଶିଶୁଟି ମୃତ ହୋଇଯାଇଛି କହିବା ସହ ଏକ ମୃତ ଶିଶୁ ସେମାନଙ୍କୁ ଦେଇଥିବା କଥା ପ୍ରକାଶ କରିଛନ୍ତି ଏହି ଦମ୍ପତି । ମୃତ ଶିଶୁଟିକୁ କାର୍ତ୍ତିକ ବଦଳ କରିଦେବା ଅଭିଯୋଗ ଆଣିବା ସହ ଡାକ୍ତରଖାନାରେ ହୋ ହାଲ୍ଲା କରିଥିଲେ । ତେବେ ସ୍ଥାନୀୟ ଲୋକ ଡାକ୍ତରଖାନାରେ ପହଞ୍ଚିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାକୁ ନେଇ କାର୍ତ୍ତିକ ସିଂ ଗତକାଲି ବାରିପଦା ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ