ବାରିପଦା: ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯିବା ପରେ ଗର୍ଭବତୀ ମା’ ଓ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟଣା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ନଗ୍ନଚିତ୍ର ପଦାକୁ ଆସିଥିଲା । ତେବେ ଏହି ଘଟଣାରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି ।
ଏହି ସମ୍ବେଦନଶୀଳ ଘଟଣାରେ ଆଜି ଆମ୍ବୁଲାନ୍ସ ଡ୍ରାଇଭର ହରିହର ନାଏକଙ୍କୁ କାର୍ଯ୍ୟରୁ ନିଳମ୍ବନ କରିଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ । ସୂଚନାଯୋଗ୍ୟ, ଅକ୍ଟୋବର ୫ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ହଣାଦା ଗ୍ରାମର ତୁଳସୀ ମୁଣ୍ଡ।ଙ୍କୁ ପ୍ରସୂତି ପାଇଁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଉଥିଲା ।
ତେବେ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ତୁଳସୀଙ୍କୁ ନିଆଯାଉଥିବା ବେଳେ ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା । ତେବେ ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ପାଖାପାଖି ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିଳମ୍ବ ହୋଇଥିଲା । ଫଳରେ କଷ୍ଟରେ ଛଟପଟ ହୋଇ ଜୀବନ ହାରିଥିଲେ ପ୍ରସୂତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ