ମାଲକିନିଗିରି: ଶୁକ୍ରବାର ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ଅରଣପୁର ଥାନା ଅଞ୍ଚଳରୁ ଅପହରଣ କରିଥିବା 2 ଇଞ୍ଜିନିଅର ଓ ଠିକାଦାରଙ୍କୁ ମାଓ ସଙ୍ଗଠନ ଆଜି ଛାଡିଦେଇଥିବା ଜଣାପଡିଛି । ତେବେ ସେମାନଙ୍କୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।
ସୂଚନାମୁତାବକ, ଦାନ୍ତେୱାଡା ଜିଲ୍ଲାର ଅରଣପୁର ଥାନା ଅନ୍ତଗର୍ତ କାକାରୀ ଅଞ୍ଚଳରେ ରାସ୍ତାକାମ ସର୍ଭେ ଚାଲିଥିଲା । ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦୁଇ ଇଞ୍ଜିନିଅରଙ୍କ ସମେତ ଜଣେ ଠିକାଦାରଙ୍କୁ 15 ରୁ 20 ସଶସ୍ତ୍ର ମାଓବାଦୀ ଗତକାଲି ଅପହରଣ କରିନେଇଥିଲେ । ଆଜି ସେମାନଙ୍କୁ ମାଓ ସଙ୍ଗଠନ ଛାଡି ଦେଇଥିବା ଜଣାପଡିଛି ।
ତେବେ ଅପହୃତ ଇଞ୍ଜିନିଅରମାନେ ହେଲେ MANREGAର ସବ ଇଞ୍ଜିନିୟର ଅରୁଣ ମାରାଦୀ, ଜୁନିୟର ଇଞ୍ଜିନିୟର ମୋହନ ବଘେଲ ଓ ଗୁପ୍ତା କନଷ୍ଟ୍ରକ୍ସନର ଜଣେ ଠିକାଦାର । ଅପହୃତଙ୍କ ମଧ୍ୟରୁ ସବ ଇଞ୍ଜିନିୟର ଅରୁଣ ମାରାଦୀ ତାଙ୍କ ପରିବାରଙ୍କ ସହ ଫୋନରେ କଥା ହେବା ସହ ଏବେ ସୁଦ୍ଧା କୁଆକାଣ୍ଡା ଥାନା ଅଭିମୁଖେ ଆସୁଥିବା କହିଛନ୍ତି । ସେପଟେ ଆଜି ରାତି ସୁଦ୍ଧା ସେମାନଙ୍କୁ ଅଣାଯିବ ବୋଲି ଦାନ୍ତେୱାଡା ଏସପି ସୂଚନା ଦେଇଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ