ମାଲକାନଗିରି: ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଛାତ୍ରୀ । ପାଟିରୁ ପଦେ କଥା ବାହାରୁନି । ମୁହଁ ବି ବଙ୍କା ହୋଇଯାଇଛି । ଝିଅଟି ନବମ ଶ୍ରେଣୀରେ ପଢୁଥିବାବେଳେ ବର୍ତ୍ତମାନ ଘରେ ପଙ୍ଗୁ ହୋଇପଡିଛି । ପାଖରେ ଯଥେଷ୍ଟ ଅର୍ଥ ନଥିବାରୁ ଝିଅର ଚିକିତ୍ସା କରାଇପାରୁ ନାହାଁନ୍ତି ବାପାମାଆ । ଏହି ଘଟଣାଟି ହେଉଛି ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ଗାଁର । ହରିଶ୍ଚନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ଏକମାତ୍ର ନାବାଳିକା ଝିଅଟି କୌଣସି ଅଚିହ୍ନା ରୋଗରେ ଘାଣ୍ଟି ହେଉଛି । ଝିଅର ଏଭଳି ଦୁର୍ଦ୍ଦଶା ଦେଖି ମଧ୍ୟ ବାପାମାଆ ଲୁହ ଝରାଇବା ବ୍ୟତୀତ କିଛି କରିପାରୁନାହାଁନ୍ତି । ଶେଷରେ ନାଚାର ହୋଇ ସରକାରୀ ସହାୟତା ପାଇଁ ସେମାନେ ଗୁହାରି କରିଛନ୍ତି ।
ସ୍ତ୍ରୀ, ଗୋଟିଏ ପୁଅ ଏବଂ ଝିଅକୁ ନେଇ ହରିଶ୍ଚନ୍ଦ୍ରଙ୍କ ଅଭାବୀ ସଂସାର । ତଥାପି ସୁରୁଖୁରୁରେ ଚାଲୁଥିଲା ପରିବାର । ମାତ୍ର ଦିନେ ଦଇବ ଦାଉ ସାଧିଲା ପରି ତାଙ୍କର ଏକମାତ୍ର ଝିଅ ସୂର୍ଯ୍ୟମଣି ହଠାତ୍ ଅସୁସ୍ଥ ହୋଇପଡିଲା । ତୁରନ୍ତ ପରିବାର ଲୋକେ ସୂର୍ଯ୍ୟମଣିକୁ ପାଣ୍ଡ୍ରିପାଣି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଝିଅଟି ଗୁରୁତର ଥିବା କହି ସେଠାରୁ ଡାକ୍ତର ତାଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିବାକୁ କହିଥିଲେ । ମାଲକାନଗିରି ମେଡିକାଲରେ କିଛିଦିନ ଚିକିତ୍ସା ହେବା ପରେ ସୂର୍ଯ୍ୟମଣିକୁ ଏଠାରେ ଭଲ କରାଯାଇପାରିବ ନାହିଁ ବୋଲି କହି ତାଙ୍କୁ ତୁରନ୍ତ ବିଶାଖାପାଟଣା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ବାପାମାଆ ମଧ୍ୟ ଯାହା ଅର୍ଥ ସଞ୍ଚୟ କରିଥିଲେ ଏବଂ ଜମି ଖଣ୍ଡେ ବିକ୍ରି କରି ସେଥିରେ ଝିଅକୁ ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଇଥିଲେ । କିଛି ଦିନ ପରେ ସେଠାରେ ସୂର୍ଯ୍ୟମଣି ମଧ୍ୟ ସୁସ୍ଥ ହୋଇଯାଇଥିଲେ । ଦେହ ଖରାପ ପରଠାରୁ ସ୍କୁଲ ବାରଣ୍ଡା ମାଡି ନଥିବା ଝିଅଟି ପୁଣି ଆଗଭଳି ସ୍କୁଲ ଯିବାଆସିବା ସହ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଥିଲା ।
ମାତ୍ର ଏତିକିରେ ଦୁର୍ଦ୍ଦିନ ତାଙ୍କ ପିଛା ଛାଡିନଥିଲା । ଥରେ ସୂର୍ଯ୍ୟମଣି ସ୍କୁଲ ଯାଇଥିବାବେଳେ ସେଠାରେ ହଠାତ୍ ଅଚେତ ହୋଇଯାଇଥିଲେ । ଫଳରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ହେଲେ ଏବେ ସୂର୍ଯ୍ୟମଣିଙ୍କ ରୋଗ ବଢିଯାଇଛି । ତାଙ୍କ ହାତ ଗୋଡ ପଙ୍ଗୁ ହୋଇଯାଇଛି । ନିଜ ବଳରେ ପାଦେ ବାଟ ଆଗକୁ ଯାଇପାରୁନାହାନ୍ତି । ହରିଶ୍ଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ଝିଅର ଏହି ପରିବର୍ତ୍ତନରେ ସମ୍ପୂର୍ଣ୍ଣ ହତବାକ୍ ହୋଇଯାଇଛନ୍ତି । ଯେଉଁ ବୟସରେ ଝିଅ ବାପାମାଆଙ୍କ ସେବା କରିବା କଥା ସେହି ବୟସରେ ବାପାମାଆ ଝିଅର ସେବା କରୁଛନ୍ତି । ପାଖରେ ଅର୍ଥ ଅଭାବରୁ ସୂର୍ଯ୍ୟମଣିଙ୍କୁ ସେମାନେ ବଡ ଡାକ୍ତରଖାନାରେ ଚିକିତ୍ସା କରାଇ ପାରୁନାହାଁନ୍ତି । ତେଣୁ ଅସହାୟ ବାପାମାଆଙ୍କ ପାଇଁ ଏବେ କେବଳ ଆଶା ସାଜିଛି ସରକାରୀ ସହାୟତା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ