କୋରାପୁଟ: କଳା ସଂସ୍କୃତି ଓ ଇତିହାସର ଗନ୍ତାଘର କୋରାପୁଟ । କୋରାପୁଟର ଇତିହାସକୁ ଉଜ୍ଜୀବିତ କରିବା ପାଇଁ ଲେଖକ ଓ କବିମାନଙ୍କର ଆରମ୍ଭ ହୋଇଛି ପ୍ରୟାସ । ପ୍ରାଚୀନ କଳା ଓ ଓଡ଼ିଆ ଜାତିର ଆଦୀ ପୀଠ ଏବଂ ଓଡ୍ର ଜାତି କୋରାପୁଟ ଭୂମିରୁ ଜନ୍ମ ହୋଇଛି ବୋଲି ବିଶିଷ୍ଟ ଗବେଷକ ଜଳଧର ସ୍ବାଇଁ ମତ ରଖିଛନ୍ତି । କୋରାପୁଟ ଅଞ୍ଚଳର ସାଂସ୍କୃତିକ ତଥା ସାମାଜିକ ଇତିହାସର ଗବେଷଣା କରୁଛନ୍ତି ଜଳଧର ସ୍ବାଇଁ । ତେବେ ଜଳଧର ସ୍ବାଇଁ କୋରାପୁଟର ପ୍ରାଚୀନ ଐତିହ୍ୟ ଓ ପ୍ରତ୍ତ୍ନତାତ୍ଵିକ ଆଧାରକୁ ସଂଗ୍ରହ କରି 'ଇତିହାସର ପୃଷ୍ଠଭୂମିରେ କିମ୍ବଦନ୍ତୀର କୋରାପୁଟ' ପୁସ୍ତକ ପ୍ରକାଶନ କରି କୋରାପୁଟ ଅଞ୍ଚଳ ସମ୍ପର୍କରେ ଅଧିକ ତଥ୍ୟ ଉପସ୍ଥାପନ କରିଛନ୍ତି ।
କୋରାପୁଟର ପୁରୁଣା ଇତିହାସ: ଗବେଷକ ତଥା ଅବସରପ୍ରାପ୍ତ କିରଣ ପଣ୍ଡା କହିବାନୁଯାୟୀ, ସେତେବେଳର ନନ୍ଦପୁର ରାଜା ଚନ୍ଦ୍ରାକ୍ଷ ମଧ୍ୟ ଏହି ବିଜୟ ଯାତ୍ରାରେ ସହଯୋଗ କରିଥିଲେ । କାଞ୍ଚି ବିଜୟ ସମୟରେ ସାଥିରେ ଆଣିଥିବା ଗୋଟିଏ ପଥରର ଗଣେଶ ମୂର୍ତ୍ତିକୁ ପୁରୁଷୋତ୍ତମଦେଵ ସାରିଆପୁଟ ଠାରେ ଛାଡି ଯାଇଥିଲେ । ଯାହା ଏବେ ମଧ୍ୟ ନିଜ ଅସ୍ଥିତ୍ବକୁ ଯାବୁଡ଼ି ରଖିଛି ।
ଇଂଗ୍ରେଜମାନଙ୍କ ପ୍ରିୟ ସ୍ଥାନ: କୋରାପୁଟ ଥିଲା ଇଂରେଜ ମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଧରଣର ଶୈଳନିବାସ । ଶତାଧିକ ବର୍ଷ ପୂର୍ବେ କୋରାପୁଟ ସହରରେ ଯେଉଁ ସୁନ୍ଦର ସୁଉଚ୍ଚ ଭବନ ଗୁଡିକ ସେମାନେ ନିର୍ମାଣ କରିଥିଲେ । ସେଥିରେ ଆଜି ମଧ୍ୟ ଆଦିବାସୀ ସଂଗ୍ରହାଳୟ, ସ୍ୱତନ୍ତ୍ର ସର୍କିଟ ହାଉସ , ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ତଥା ବାସଗୃହ , ଅବକାରୀ ବିଭାଗ କାର୍ଯ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଲୋକଙ୍କ ସେବାରେ ଲାଗିପାରୁଛି । କୋରାପୁଟ ଜିଲ୍ଲାର ସୁବାଇ, ନନ୍ଦପୁର, କେଚେଲା ଓ ବିସିଂପୁର ପ୍ରଭୃତି ଅଞ୍ଚଳରେ ଦେଖାଯାଉଥିବା ଜୈନ ପ୍ରତିମୂର୍ତ୍ତି ଏହି ଅଞ୍ଚଳରେ ବହୁ ପୂର୍ବେ ଜୈନ ଧର୍ମର ଦୃଢ଼ ଉପସ୍ଥିତି ଆଡକୁ ଇଙ୍ଗିତ କରୁଛି । ଏହି ମୂର୍ତ୍ତି ଗୁଡିକର ବୟସର ଆକଳନ କରାଯାଇପାରୁନଥିଲେବି ଏହାଯେ ବହୁ ପୁରାତନ ତାହା ଏହି ମୂର୍ତ୍ତିରେ କରାଯାଇଥିବା କାରୁକାର୍ଯ୍ୟକୁ ଦେଖିଲେ ଜଣାପଡୁଛି ବୋଲି ଗବେଷକମାନେ ମତ ରଖିଛନ୍ତି ।
ତେବେ କୋରାପୁଟ ଅଞ୍ଚଳର ଏହି ଗାରିମାମୟ ଇତିହାସ ସମ୍ପର୍କରେ ଓଡ଼ିଶାବାସୀ ଜାଣି ନଥିବାରୁ କୋରାପୁଟ ଅଞ୍ଚଳ ଏକ ପଛୁଆ ଅଞ୍ଚଳ ଭାବେ ଆଖ୍ୟା ପାଇ ଆସିଛି । ତେଣୁ କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ମହାବିଦ୍ୟାଳୟଗୁଡିକ ଏହି ଇତିହାସ ସମ୍ପର୍କରେ ଉଚିତ ଗବେଷଣା କରିବା ଉଚିତ । ଯାହାଫଳରେ ଏହି ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ଉନ୍ନତ ସଭ୍ୟତା ସମ୍ପର୍କରେ ବିଶ୍ବ ଅବଗତ ହୋଇପାରନ୍ତା ବୋଲି ବିଶିଷ୍ଟ ଯୁବ ଲେଖକ ଶୁଭ ନାରାୟଣ ସ୍ବାଇଁ ଆଶାପୋଷଣ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ