କୋରାପୁଟ: ପୁଣି ଖାକିରେ ଲାଗିଲା ଦାଗ । ଗଞ୍ଜେଇ ଚୋରା ଚାଲାଣ କରିବା ସମୟରେ ପୋଲିସକୁ ଧରିଲା ପୋଲିସ । । ଗତକାଲି କୋରାପୁଟ ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରୁ ଦୁଇଟି ଟ୍ରକକୁ ଜବତ କରି ଗୋଟିଏରୁ ଏକ ଟନ ଓ ଅନ୍ୟଟିରୁ ୫କୁଇଣ୍ଟାଲ ୮୯ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହି ଗାଡି ମଧ୍ୟରୁ ଗୋଟିଏ କୋଇଲା ବୋଝେଇ ଟ୍ରକ ରହିଥିବା ବେଳେ ଏହି ଟ୍ରକରେ ରାଜ୍ୟ ବାହାରକୁ ହୋମଗାର୍ଡ ଜଣକ ଗଞ୍ଜେଇ ଚାଲାଣ କରୁଥିଲେ ।
ଏନେଇ ପୋଲିସ ତାଙ୍କୁ ଗିରଫ କରିବା ସହ ଅନ୍ୟ ଗାଡିରୁ ୫ଜଣ ମାଫିଆଙ୍କୁ ଗିରଫ କରିଛି । ତେବେ ହୋମଗାର୍ଡ ଜଣଙ୍କ ଜୟପୁର ନିକଟସ୍ଥ କୋଲାବ କଲୋନୀର ବୋଲି ଜଣାପଡିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।
ତେବେ ଗିରଫ ମାଫିଆଙ୍କ ଠାରୁ ମୋବାଇଲ ଫୋନ, ଏଟିଏମ କାର୍ଡ ସମେତ ଅନେକ କାଗଜ ପତ୍ର ମଧ୍ୟ ଜବତ ହୋଇଥିବା ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା । ଗୋଟେ ପଟେ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ପୋଲିସ ଚଢାଉ ଜାରି ରଖିଛି । କିନ୍ତୁ ଅନ୍ୟ ପଟେ ଗଞ୍ଜେଇ କାରବାରେ ହୋମଗାର୍ଡଙ୍କ ସମ୍ପୃକ୍ତି ଏବେ ପୋଲିସର ଚିନ୍ତା ବଢାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର , ଇଟିଭି ଭାରତ