କୋରାପୁଟ: କୋଟିଆରେ ଓଡିଶା ସରକାରଙ୍କ ଦ୍ଵାରା କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଦେଖି ଆନ୍ଧ୍ର ସରକାର ଲାଜ କରିବା କଥା । ଏପରି ମତବ୍ୟକ୍ତ କରିଛନ୍ତି ସାଲୁର ମଣ୍ଡଳର ପୂର୍ବତନ ଉପାଧ୍ୟକ୍ଷ ମାଳତୀ ଦୋରା । ଆଜି(ଗୁରୁବାର) ଓଡିଶା ଆନ୍ଧ୍ର ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଠାରେ ଜିଲ୍ଲା ପ୍ରଶାସନ, ଆମ କୋଟିଆ ସଙ୍ଗଠନ, ସତ୍ତା ସାହିତ୍ୟ ସଂସଦ ଏବଂ ଜିଲ୍ଲାର ବିଭିନ୍ନ ସ୍ଵେଚ୍ଛାସେବୀ ସଙ୍ଗଠନ ଓ ବୁଦ୍ଧିଜୀବୀଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଓଡିଶା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହି ଅବସରରେ ଆନ୍ଧ୍ର ସରକାରଙ୍କ ଆଦିବାସୀ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବକୁ ଧିକ୍କାର କରିବା ସହ ଦୋରା ଓଡିଶା ସରକାରଙ୍କ ଦ୍ଵାରା କୋଟିଆ ଅଞ୍ଚଳରେ ଆରମ୍ଭ କରାଯାଇଥିବା ବିଭିନ୍ନ ଜନହିତକାରୀ କାର୍ଜ୍ୟକ୍ରମର ଭୂଯସୀ ପ୍ରଶଂସା କରିଛନ୍ତି । ଆନ୍ଧ୍ର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ବିରୋଧ କରି ସେମାନେ ବାରମ୍ବାର ଆନ୍ଧ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ଯୋଗୁଁ ଓଡିଶାର ସୀମା ନିକଟସ୍ଥ ଆନ୍ଧ୍ର ପ୍ରଦେଶର କୋଡ଼ାମ ପଞ୍ଚାୟତର 18 ଟି ଗ୍ରାମର ଗ୍ରାମବାସୀ ଓଡିଶା ସହ ସାମିଲ ହେବା ପାଇଁ ମନ ବଳାଇଥିବା ସେ କହିଛନ୍ତି । ଆନ୍ଧ୍ର ସରକାରଙ୍କ ଦ୍ଵାରା କୋଟିଆ ଅଞ୍ଚଳରେ ଅନଧିକାର ଅନୁପ୍ରବେଶକୁ ବିରୋଧ କରି ଓଡିଶା ସରକାର ସୁପ୍ରିମ କୋର୍ଟରେ ଆଇନଗତ ଲଢେଇ ଜାରି ରଖି ଥିବାବେଳେ ଆନ୍ଧ୍ର ପ୍ରଦେଶର ସୀମାବର୍ତ୍ତୀ ଇଲାକାରେ ଥିବା ଆଦିବାସୀ ବହୁଳ ଗ୍ରାମଗୁଡିକରେ ଅବହେଳା, ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ଦିଆଯାଇଥିବା ଓଡିଶାର ଦଲିଲକୁ ଆହୁରି ଅଧିକ ବଳ ଯୋଗାଇଦେବା ଏବଂ କୋଟିଆ ପଞ୍ଚାୟତର 21 ଟି ଗ୍ରାମ ଉପରେ ଓଡିଶାର ଦାବିକୁ ଯଥାର୍ଥ ମାନ୍ୟତା ମିଳିବାରେ ସହାୟକ ହେବ ବୋଲି ଆମ କୋଟିଆ ସଙ୍ଗଠନର ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଆଶାବ୍ୟକ୍ତ କରିଛନ୍ତି ।
ସେହିପରି କୋଟିଆର ଇତିହାସ ବର୍ଣ୍ଣନା କରି ଗତ କିଛିବର୍ଷ ମଧ୍ୟରେ ଓଡିଶା ସରକାରଙ୍କ ଦ୍ଵାରା ରାସ୍ତାଘାଟ, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ହସ୍ପିଟାଲ କରାଯାଇ ଏହି ଅଞ୍ଚଳର ବିକାଶ ଦିଗରେ ପ୍ରୟାସ କରିଛନ୍ତି ବୋଲି କୋଟିଆ ଅଞ୍ଚଳରେ ଦୀର୍ଘ 30 ବର୍ଷ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟକରି ଅବସର ନେଇଥିବା ଗଦାଧର ସ୍ଵାଇଁ ମତ ରଖିଛନ୍ତି । ତେବେ ଆଜି ଓଡିଶା ଦିବସ ଅବସରରେ କୋଟିଆ ଏବଂ ଅନ୍ୟାନ୍ୟ ସୀମାବର୍ତ୍ତି ଅଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତିରେ ସୁରକ୍ଷା କରିବା ପାଇଁ ସମସ୍ତେ ସଂକଳ୍ପ ନେବା ଉପରେ ଗୁରୁତ୍ଵ ଦେଇଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ