କୋରାପୁଟ: ଦିନ ଥିଲା କୋରାପୁଟ ମାଣ୍ଡିଆର ଏତେ ଆଦର ନଥିଲା । ହେଲେ ଏବେ ଏହାର ଚାହିଦା ଯଥେଷ୍ଟ ଅଧିକ । ରାଜ୍ୟ ସରହଦ ଡେଇଁ ଏହା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣିଛି । କୋରାପୁଟ ଆଦିବାସୀ ମାନେ ଚାଷ କରୁଥିବା ମାଣ୍ଡିଆ ମରୁଡ଼ି ପରିବେଶକୁ ସହ୍ୟ କରିବାର କ୍ଷମତା ଥିବା କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଡ. ଦେବବ୍ରତ ପଣ୍ଡା ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ଧରି କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଜଳବାୟୁ ବିପର୍ଯୟ ସହମନଶୀଳତା ଉପରେ ଗବେଷଣା କରିବା ପରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ।
ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ମାଣ୍ଡିଆର ପ୍ରକାର ଭେଦ ଓ ଆଦିବାସୀଙ୍କ ପାଖରେ ଥିବା ଜ୍ଞାନ କୌଶଳକୁ ଦେଖିଲେ ଏହି ଅଞ୍ଚଳ ଧାନ ଭଳି ମାଣ୍ଡିଆର ମଧ୍ୟ ଜନ୍ମସ୍ଥଳୀ ହୋଇଥିବା ଅନୁମାନ କରାଯାଏ । ୬ ପ୍ରକାର ପାମ୍ପରିକ ମାଣ୍ଡିଆ ଯଥା ଲଡୁ ମାଣ୍ଡିଆ, ଲଲା ମାଣ୍ଡିଆ, ବାଟି ମାଣ୍ଡିଆ, ତୁମକ ମାଣ୍ଡିଆ ଓ ଭାଲୁ ମାଣ୍ଡିଆ ଭଳି ୬ଟି ମାଣ୍ଡିଆ ଜଳ ସଞ୍ଚୟକାରୀ ଓ ମରୁଡି ସହନଶୀଳ ହୋଇଥିବା ଯୋଗୁଁ ଜଳବାୟୁର ପରିବର୍ତ୍ତନକୁ ସହଜରେ ଆଦରି ନେଇପାରିବ ବୋଲି ତଥ୍ୟରୁ ଜଣାପଡ଼ିଛି । ଏହି ମାଣ୍ଡିଆର ଗୁଣସୂତ୍ରରେ ସହନଶୀଳତାର ଜିନ ରହିଥିବା ଗବେଷଣାରୁ ଜଣାପଡ଼ିଛି । ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ପାଇଁ ସହନଶୀଳ ମାଣ୍ଡିଆ ମରୁଡ଼ି ପ୍ରତିକୂଳ ପରିବେଶରେ ଚାଷ କରିବା ସହିତ ଆଦିବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବ ବୋଲି ଦେବବ୍ରତ ପଣ୍ଡା ମତ ପ୍ରକାଶ କରିଛନ୍ତି । ଏହି ମାଣ୍ଡିଆର ସହନଶୀଳତା ଜିନକୁ ନେଇ ନୂତନ ମାଣ୍ଡିଆ ତିଆରି କରି ହେବ ।
ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶା ମାଣ୍ଡିଆ ଖାଇବ ସାରା ଦୁନିଆ: ଦିନ ଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ, ଏବେ ପାଲଟିଛି ସମସ୍ତଙ୍କ ମନପସନ୍ଦ
ମାଣ୍ଡିଆ ବିଭିନ୍ନ ଜାତୀୟ ଶସ୍ୟରେ ଉପଲବ୍ଧ ଖାଦ୍ୟସାର ତୁଳନାରେ ଢେର ଅଧିକା । ତେଣୁ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକୁ ଅନ୍ତର୍ଭୁକ୍ତ କଲେ ତାହା ପୁଷ୍ଟିଯୁକ୍ତ ହୋଇଥାଏ । ଆଦିବାସୀ ପରିବାରର ମୂଳ ଖାଦ୍ୟ ଭାବେ ମାଣ୍ଡିଆକୁ କାହିଁ କେଉଁ ସମୟଠାରୁ ଆରମ୍ଭ କରି ଆଜିର ପିଢ଼ି ପର୍ଯ୍ୟନ୍ତ ମାନ୍ୟତା ପାଇ ଆସିଥିବା ବେଳେ ବର୍ତ୍ତମାନ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ମଧ୍ୟ ଏହା ଆଦୃତ ହୋଇଥିବା ଯୋଗୁଁ ମାଣ୍ଡିଆ ଚାଷର ବ୍ୟାପକତା ଓ ଗୁରୁତ୍ୱ ବୃଦ୍ଧି ପାଇଛି । ବର୍ତ୍ତମାନ କୋରାପୁଟ ବାଟି ମାଣ୍ଡିଆକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପାରମ୍ପରିକ ଚାଷ ପ୍ରତି ଲୋକଙ୍କ ଆହୁରି ଆଗ୍ରହ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଯଦି ଏହି ବିରଳ ମାଣ୍ଡିଆକୁ ସରକାରଙ୍କ ମିଲେଟ ମିଶନ ମାଧ୍ୟମରେ ପ୍ରଚାର, ପ୍ରସାର ଓ ସଂରକ୍ଷଣ କଲାଗଲା । ତେବେ ଏହା ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଦେବା ସହିତ ଆଦିବାସୀଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଡ. ଦେବବ୍ରତ ପଣ୍ଡା କହିଛନ୍ତି ।
ଇଟିଭି ଭାରତ, କୋରାପୁଟ