କୋରାପୁଟ: କୁମ୍ଭାରସାହି ନିକଟରୁ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ ମୃତଦେହ । ଶନିବାର ରାତିରେ ଚନ୍ଦ୍ର ପରଜା ନାମକ ଜଣେ ବ୍ୟକ୍ତି କୁମ୍ଭାର ସାହିକୁ କୈଣସି କାରଣ ବଶତଃ ଆସିଥିଲେ । ସେ ଜୟପୁର ଗୌଡ଼ ସାହି ନିକଟସ୍ଥ ମାଳିସାହିରେ ରହୁଥିବା ବେଳେ ତାଙ୍କ ସାଙ୍ଗଙ୍କ ସହିତ ଶନିବାର ରାତିରେ କୁମ୍ଭାର ସାହି ଆସିଥିଲେ । ତେବେ ଆଜି(ରବିବାର) ସକାଳୁ ତାଙ୍କ ମୃତଦେହ ଗାଁ ରାସ୍ତା ମଝିରେ ପଡିଥିବା ଦେଖିବାକୁ ମିଳିଛି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଚନ୍ଦ୍ରଙ୍କ ମୁଣ୍ଡକୁ ପଥରରେ ଛେଚି କେହି ହତ୍ୟା କରିଛି । ଘଟଣାସ୍ଥଳରୁ ମୃତ ଯୁବକଙ୍କ ସାଙ୍ଗ କେଉଁ ଆଡ଼େ ଚାଲିଯାଇଥିବାବେଳେ ସେଠାରେ ଏକ ହଳ ଚପଲ ଓ ବିସ୍କୁଟ ପଡ଼ିଛି ।
ଜୟପୁର ଟାଉନ ଥାନା ଆଇଆଇସି ଓ ତାଙ୍କ ଟିମ୍ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପୁର ମେଡିକାଲକୁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ ଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଟାଉନ ଥାନା ଅଧିକାରୀ ବାଲେଶ୍ଵର ଗିଧି କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ