କୋରାପୁଟ: ପ୍ରତିବର୍ଷ ଜିଲ୍ଲାରେ ହାରାହାରି 1500 ମିଲିମିଟର ବର୍ଷା ହେଉଥିଲେ ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ତାହା ଅନେକାଂଶରେ ନାଳ ନର୍ଦ୍ଦମା, ଝରଣା ଓ ନଦୀ ଦେଇ ସମୁଦ୍ରକୁ ବହିଯାଇଥାଏ । ତେଣୁ ଏହା ଅଞ୍ଚଳବାସୀଙ୍କ ବ୍ୟବହାରରେ ଲାଗିପାରେ ନାହିଁ ବୋଲି କୋରାପୁଟ କଫି ବୋର୍ଡର ଆଞ୍ଚଳିକ ସମ୍ପର୍କ ଅଧିକାରୀ ଅଜିତ କୁମାର ରାଉତ କହିଛନ୍ତି ।
ତେବେ ଏହି ବର୍ଷାଜଳକୁ ସଂରକ୍ଷଣ କରିପାରିଲେ କୋରାପୁଟରେ ପାନୀୟ ଜଳ ସହିତ ଚାଷକାମ ପାଇଁ ଜଳର ଅଭାବ ରୁହନ୍ତା ନାହିଁ ବୋଲି ସେ ମତପ୍ରକାଶ କରିଛନ୍ତି । କୋରାପୁଟ ସହର ଉପକଣ୍ଠରେ ଥିବା କଫି ବୋର୍ଡ ପରିସରରେ କରାଯାଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ଏଦିଗରେ ବେଶ ସଫଳତା ପାଇଥିବା ସେ ଉଲ୍ଲେଖ କରିଛନ୍ତି ।
ପାହାଡ଼ ଉପରୁ, ଘରଛାତ ଉପରୁ ତଥା ଉଚ୍ଚସ୍ଥାନମାନଙ୍କରୁ ବର୍ଷାଜଳ କଫିବୋର୍ଡର ପରିସରକୁ ଆସୁଥିବା ବେଳେ ଏହାର ଦିଗକୁ ପରିବର୍ତ୍ତନ କରାଯାଇ ଗୋଟିଏ ସ୍ଥାନରେ ଭୂତଳ ଜଳ ସଂରକ୍ଷଣ କରାଯାଇପାରୁଛି । କଫି ବଗିଚା ମଧ୍ୟରେ ବହୁଦିନରୁ ଅକାମୀ ହୋଇ ପଡିରହିଥିବା ଏକ ନଳକୂପକୁ ଉପରପଟୁ ଖୋଲିଦେଇ ତା ମଧ୍ୟରେ ଏକ ଫିଲଟର ସଂଯୋଗ କରାଯାଇଛି । ନଳକୂପର ବାହାର ପଟେ କିଛି ଗଭୀରତା ପର୍ଯ୍ୟନ୍ତ ମାଟିକୁ ଖୋଳି ସେଥିରେ ପଥର ଚିପ୍ସ ଓ ବାଲି ଭରିଦିଆଯାଇଛି । ବିଭିନ୍ନ ସ୍ଥାନରୁ ସଂଗୃହୀତ ଜଳକୁ ଏହି ସ୍ତରଗୁଡିକୁ ଅତିକ୍ରମ କରି ନଳକୂପ ମଧ୍ୟକୁ ଯାଇ ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହୋଇପାରିଛି । ଏଠାରେ ଅବ୍ୟବହୃତ ନଳକୂପକୁ ବ୍ୟବହାର କଲାଭଳି ଯେକୌଣସି ଏକ ଗାତ ଖୋଳି ଏହି ପ୍ରକ୍ରିୟାକୁ ବାସ୍ତବ ରୂପ ଦେଇହେବ ବୋଲି ଶ୍ରୀ ରାଉତ ଜଣାଇଛନ୍ତି ।
ଅତୀତରେ ବି ସରକାରଙ୍କ ଦ୍ବାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭୂତଳଜଳ ସ୍ତର ବୃଦ୍ଧି କରାଯିବାର ପ୍ରୟାସ କରାଯାଇଥିଲା । ହେଲେ କୋରାପୁଟ କଫି ବୋର୍ଡରେ କରାଯାଇଥିବା ଏହି ଛୋଟ ପ୍ରୟାସ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ପ୍ରଚେଷ୍ଟାରେ ଅତି ସ୍ବଳ୍ପ ଖର୍ଚ୍ଚରେ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସହାୟକ ହୋଇପାରିବ ବୋଲି ପ୍ରଗତି ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ ପ୍ରଭାକର ଅଧିକାରୀ ମତପ୍ରକାଶ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ