ଭୁବନେଶ୍ବର: ଠକାମି ପାଇଁ ନୂଆ ତରିକା ଆପଣାଉଛନ୍ତି ଠକ । ଯୁବପିଢିଙ୍କୁ ଚାକିରି ଲୋଭ ଦେଇ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା । ବିଶେଷ କରି ଶିକ୍ଷିତ ଅନ୍ଲାଇନ୍ ଟ୍ୟାକ୍ସି ଓ ଡେଲିଭେରୀ ବୟଙ୍କୁ ଟାର୍ଗେଟ କରୁଛନ୍ତି । ଚାକିରି ଦେବା ନାଁରେ ରାପିଡୋ ଚାଳକଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ରାଜଧାନୀ ଭୁବନେଶ୍ବରରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖର ଥାନା ପୋଲିସ ।
ବାଣୀବିହାର ଉତ୍କଳ ବିଶ୍ବବିଦ୍ୟାଳୟରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ଚାକିରି ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛି ଠକ । ଚନ୍ଦ୍ରଶେଖରପୁର ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳର ଗୌରାଙ୍ଗ ସାହୁ ହୋଇଥିବା ଜଣାପଡ଼ିଛି । ଗୌରାଙ୍ଗ ସାହୁ ପ୍ରଥମେ ଚକେଇଶିଆଣି ଯିବାପାଇଁ ଏକ ଅନ୍ଲାଇନ୍ ବାଇକ ଟ୍ୟାକ୍ସି ରାପିଡୋ ରାଇଡ୍ ବୁକ୍ କରିଥିଲେ। ରାଇଡରେ ନେବା ପାଇଁ ଆସିଥିବା ଚାଳକ ଯେକି ଶ୍ରୀକାନ୍ତ ସାହୁଙ୍କ ସହ ଯିବା ବେଳେ ବାଟରେ ଫୋନରେ ଠକ ଆଉ ଜଣଙ୍କୁ ମୋବାଇଲରେ ବାଣୀ ବିହାରରେ ଏକ ପୋଷ୍ଟ ଅଛି କିଏ ରହିବ ବୋଲି କଥା ହେଉଥିଲେ । ତେବେ ରାପିଡୋ ଚାଳକ ଶ୍ରୀକାନ୍ତ ଏନେଇ ତାଙ୍କୁ ରଖିବା ପାଇଁ କହିଥିଲେ ଏବଂ ତାଙ୍କ ସହ ଚିହ୍ନା ପରିଚୟ ହୋଇଥଲେ ।
ମାସକୁ ୩୨ ହଜାର ଦରମା ମିଳିବ, ସରକାରୀ ଚାକିରି କରାଇ ଦେବି ହେଲେ ଏଥିପାଇଁ କିଛି ଖର୍ଚ୍ଚ ପାଣି ଲାଗିବ ବୋଲି ଠକ ଜଣକ ଶ୍ରୀକାନ୍ତଙ୍କୁ କହିଥିଲେ । ଲାଇବ୍ରେରୀ ଆଟେଣ୍ଡାଣ୍ଟ ରହିବା ପାଇଁ ହେଲେ ପ୍ରଥମେ ୫୦ ହଜାର ଦେଇ ପରୀକ୍ଷା ଦେବାପରେ ବାକି ଟଙ୍କା ଦେବାକୁ କହି ତାଙ୍କୁ ପ୍ରଲୋଭନ ଦେଇଥିଲେ। ରାପିଡୋ ଚାଳକ ଜଣକ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ସେ ଗୌରାଙ୍ଗଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୩୭ ହଜାର ଟଙ୍କା ଦେଇଥିଲେ । ଖାଲି ସେତିକି ନୁହେଁ, ତାଙ୍କର ଆଉ ଜଣେ ବନ୍ଧୁଙ୍କ ପାଇଁ ମଧ୍ୟ ଚାକିରି ବୁଝି ଦେବାକୁ ୪୦ ହଜାର ଟଙ୍କା ଦେଇଥିଲେ ।
ହେଲେ ଟଙ୍କା ନେବା ପରେ ଠକ ଆଉ ଧରାଛୁଆ ଦେଇନଥିଲା । ୧ଲକ୍ଷ ୭୨ ହଜାର ନେଇ ସେ କେଉଁଆଡ଼େ ଚମ୍ପଟ ମାରିଥିଲା । ଏନେଇ ଶ୍ରୀକାନ୍ତ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି । କମିଶନରେଟ ପୋଲିସର ଏସିପି ଜୋନ୍ ୬ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, "ଚାକିରି ନାଁରେ ଯୁବପିଢିଙ୍କୁ ଠକିବା ଏକ ନୂଆ ଟ୍ରେଣ୍ଡ୍ ପାଲଟିଛି । ଠକ ନିଜକୁ ଜଣେ ପିଜି ଷ୍ଟୁଡେଣ୍ଟ୍ କହୁଥିବା ବେଳେ ସେ ଏପରି ଠକେଇ ଉଦ୍ଦେଶ୍ୟରେ ଭୁଲ କରିଥିବା ନିଜେ ସ୍ବୀକାର କରିଛି । ତେବେ ଏଭଳି ଠକେଇ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଉଛି ।"
ଇଟିଭି ଭାରତ, ଭୁବନେଶ୍ବର