ଭୁବନେଶ୍ବର: ପରିବାର ନିୟୋଜନ କାର୍ଯ୍ୟକ୍ରମର ସଫଳ ରୂପାୟନ ମାଧ୍ୟମରେ ଓଡ଼ିଶା ସମଗ୍ର ଦେଶ ପାଇଁ ଆଜି ଉଦାହରଣ ସାଜିଛି । ଜାତୀୟ ହାର ତୁଳନାରେ ଓଡ଼ିଶାରେ ପ୍ରଜନନ ହାର ଅପେକ୍ଷାକୃତ କମ୍ । ବିଗତ ବର୍ଷ ତୁଳନାରେ ଗତ ୧୫ ଦିନ ମଧ୍ୟରେ ଗର୍ଭ ନିରୋଧର ବ୍ୟବହାର ରେକର୍ଡ଼ ସ୍ତରରେ ପହଞ୍ଚିଛି । ଗର୍ଭନିରୋଧକ ବଟିକାର ବ୍ୟବହାର ସମଗ୍ର ରାଜ୍ୟରେ ୧୦.୮ ପ୍ରତିଶତ ରହିଛି । ଆଇଡିଏଫ, ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ବରେ ପରିବାର ନିୟୋଜନ ଉପରେ ଆୟୋଜିତ ଏକ କର୍ମଶାଳାରେ ଏହା କୁହାଯାଇଛି ।
ରାଜ୍ୟ ମିଶନ ନିର୍ଦ୍ଦେଶିକା ଡଃ ବୃନ୍ଦା ଡି କହିଛନ୍ତି ଯେ, ଜାତୀୟ ହାର ତୁଳନାରେ ଓଡ଼ିଶାରେ ପ୍ରଜନନ ହାର ଅପେକ୍ଷାକୃତ କମ୍ । ରାଜ୍ୟରେ ବହୁଳ ମାତ୍ରାରେ ଗର୍ଭ ନିରୋଧକ ବ୍ୟବହାର ପାଇଁ ତୃଣମୂଳ ସ୍ତରରୁ ଆରମ୍ଭ କରି ଉଚ୍ଚସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରଂଶସାର ପାତ୍ର ହୋଇଛି । ଏହି ସୀମିତ ସଫଳତାରେ ଅଟକି ନ ଯାଇ ଏହାକୁ ବ୍ୟାପକ କରିବା ଏବେ ସମସ୍ତଙ୍କ ଲକ୍ଷ୍ୟ ରଖିବା ଆବଶ୍ୟକ । ଆମ ନିକଟରେ ସ୍ବୟଂ ସହାୟକ ଗୋଷ୍ଠୀ ଭଳି ଏକ ଶକ୍ତିଶାଳୀ ଅସ୍ତ୍ର ରହିଛି ଯାହାକୁ ବ୍ୟବହାର କରି ଆମେ ଅଧିକ ସଚେତନତା ସୃଷ୍ଟି କରିପାରିବା । ଏହି ସଫଳତା ହାରକୁ ଦ୍ବିଗୁଣିତ କରିପାରିବା ।
ଏହାମଧ୍ୟ ପଢନ୍ତୁ: ଟାଇପ-2 ମଧୁମେହ ରୋଗୀଙ୍କୁ କ୍ୟାନ୍ସର ହେବାର ଆଶଙ୍କା ଅଧିକା, ରିସର୍ଚ୍ଚରେ ଖୁଲାସା
ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ହିତାଧିକାରୀଙ୍କ ମଧ୍ୟରେ ବିଭିନ୍ନ ମାଧ୍ୟମରେ ଗର୍ଭନିରୋଧ ସମ୍ବନ୍ଧରେ ସଠିକ ତଥ୍ୟ ଯୋଗାଇବା, ଉଚିତ୍ ପରାମର୍ଶ ଦେବା, ହିତାଧିକାରୀଙ୍କୁ ସମସ୍ତ କାର୍ଯ୍ୟଧାରାରେ ସାମିଲ କରାଇପାରିଲେ ପ୍ରାଥମିକ ସ୍ତରରେ ଗର୍ଭପାତ ଜନିତ ସମସ୍ୟାକୁ ଏଡାଇବା ସହ ଜନସଂଖ୍ୟା ବୃଦ୍ଧିକୁ ମଧ୍ୟ ରୋକାଯାଇ ପାରିବ । ଗର୍ଭନିରୋଧର ପାରମ୍ପରିକ ପ୍ରଣାଳୀ ପ୍ରତିବଦଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‘ବାସ୍କେଟ ଅଫ୍ ଚଏସେସ୍’ରେ ଗତ ୫ ବର୍ଷ ମଧ୍ୟରେ ୪ଟି ପଦ୍ଧତି ସାମିଲ କରାଯାଇଛି ।
ଚଳିତ ବର୍ଷ ‘ସବ୍ ଡରମାଲ ଇମ୍ପ୍ଲାଣ୍ଟ’, ‘ସବ୍କ୍ୟୁଟାନିୟମ ଇଞ୍ଜେକ୍ସନ ଏମ୍ପିଏ’ ନୂତନ ୨ଟି ଗର୍ଭନିରୋଧକ ଆରମ୍ଭ ହୋଇଛି । ବିଗତ ବର୍ଷ ତୁଳନାରେ ଗତ ୧୫ ଦିନ ମଧ୍ୟରେ ‘ଅନ୍ତରା’ ଗର୍ଭ ନିରୋଧର ବ୍ୟବହାର ରେକର୍ଡ଼ ସ୍ତରରେ ପହଞ୍ଚିଛି । ସମୁଦାୟ ପ୍ରଜନନ ହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସୂଚକ ଯାହା ପରିବାର ନିୟୋଜନ କାର୍ଯ୍ୟକ୍ରମର ସଫଳତା ଏବଂ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ/ ରାଜ୍ୟ/ ଦେଶର ଜନସଂଖ୍ୟା ସ୍ଥିରତା ଆଣିବାରେ ସୂଚାଇଥାଏ । ଓଡ଼ିଶାରେ ଏହି ସମୁଦାୟ ପ୍ରଜନନ ହାର ୧.୮ରେ ପହଞ୍ଚି ପାରିଛି, ଯାହା ଜାତୀୟ ହାର ୨.୦ ଠାରୁ କମ୍ ଅଟେ । ଗର୍ଭନିରୋଧକ ବଟିକାର ବ୍ୟବହାର ସମଗ୍ର ରାଜ୍ୟରେ ୧୦.୮ ପ୍ରତିଶତ ରହିଛି । ଆଇପାସ୍ ଡେଭେଲପମେଣ୍ଟ ଫାଉଣ୍ଡେସନ (IDF), ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟରେ ଉତ୍କୃଷ୍ଟ ପରିବାର ନିୟୋଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ଗର୍ଭପାତ ଜନିତ ସେବା ଯତ୍ନର ସମୀକ୍ଷା କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର