ଖୋର୍ଦ୍ଧା: ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶନିବାର ଖୋର୍ଦ୍ଧା କଣ୍ଟାମଳିମ ଗଡଠାରେ ମାଆ କାଳିକା ପାଇକ ଆଖଡା ସଙ୍ଘ ପକ୍ଷରୁ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଜଗନାଥଙ୍କୁ ମାଲ୍ୟାର୍ପଣ ପରେ ଶହୀଦଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯାଇଛି । ୧୮୦୪ ମସିହାରେ ଅସ୍ତ୍ରାଗାର ଲୁଟ ସମୟରେ ଶହୀଦ ପାଇକ ମାନଙ୍କୁ ମନେପକାଇ ଶନିବାର ଏହି ସୃତିଚାରଣ ସଭାରେ ଅତିଥିମାନେ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ପାଇକ ମାନଙ୍କୁ ସରକାର ଅଣଦେଖା କରୁଥିବା ପ୍ରସଙ୍ଗ କଥା ଉଠାଇଛନ୍ତି ବିଭିନ୍ନ ପାଇକ ସଂଗଠନର ଗୁରୁ ।
ସେହିପରି ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ଦେବାକୁ ପାଇକ ଦାୟଦମାନେ ଦାବି ଉଠାଇଥିଲେ । ଶେଷରେ ଆଖପାଖ ଅଞ୍ଚଳରୁ ଆସିଥିବା ପାଇକ ଆଖଡା ଦଳ ସେମାନଙ୍କ ଦୁଃସାହସିକ ସମରକଳା ପ୍ରଦର୍ଶନ କରିଥିଲେ । ପାଇକଙ୍କ ଏନ୍ତୁଡ଼ିଶାଳ ହେଉଛି ଖୋର୍ଦ୍ଧାଗଡ଼ । ଖୋର୍ଦ୍ଧା ଇତିହାସରେ ପାଇକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ପୁରୀ ଗଜପତି ମହାରାଜାଙ୍କ ଅସ୍ତ୍ରାଗାର ଗଡ଼ ଥିଲା ଖୋର୍ଦ୍ଧାର କଣ୍ଟାମଳିମ । ଏହି କଣ୍ଟାମଳିମ ଅସ୍ତ୍ରାଗାର ଗଡ଼ରୁ ଅସ୍ତ୍ରଶସ୍ତ୍ର ଲୁଟ କରିବା ପାଇଁ ଇଂରେଜ ମାନେ ୧୮୦୪ ମସିହାରେ ଯୋଜନା କରିଥିଲେ ।
ଇଂରେଜମାନଙ୍କ ସହ ଲଢେଇ କରି ଶେଷରେ ଇଂରେଜଙ୍କ ଗୁଳିରେ ୧୯ଜଣ ପାଇକ ଶହୀଦ ହୋଇଥିଲେ । ଏହି ଗୁକିକାଣ୍ଡ ଥିଲା ମହାଳୟା ଶ୍ରାଦ୍ଧ ସମୟର । କଣ୍ଟାମଳିମ ଗ୍ରାମବାସୀ ମହାଳୟା ଶ୍ରାଦ୍ଧ ଦେଇ ପାରିନଥିଲେ। ଫଳରେ ସେହି ବର୍ଷ ଠାରୁ ପ୍ରତିବର୍ଷ ମହାଳୟା ପୂର୍ବଦିନ ଶହୀଦ ବୀର ପାଇକଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା