ଭୁବନେଶ୍ବର: ବହୁ ପ୍ରତିକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ହେବ ଶିଳାନ୍ୟାସ । ଆସନ୍ତାକାଲି ତ୍ରିଶୁଳିଆ ନିକଟରେ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପ୍ରସାରିତ ମେଟ୍ରୋ ରେଳ ପ୍ରକଳ୍ପ ଶିଳାନ୍ୟାସ ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଶୋଭାଯାତ୍ରାରେ ଆସି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବେ ।
ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ହେବାକୁ ଯାଉଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ବର୍ତ୍ତମାନ ସମ୍ପ୍ରସାରିତ ହୋଇ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ନେବାକୁ ନିଷ୍ପତ୍ତି ହୋଇଛି । ଏହି ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବାକୁ ଯାଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ତଥା ଶାସକ ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ 10.45ରୁ ନବୀନ ନିବାସରୁ ବାହାରି 12.45ରେ ଫେରିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ନବୀନ ନିବାସରୁ ତ୍ରିଶୂଳିଆ ଛକ ମଧ୍ୟରେ ପ୍ରାୟ 15ଟି ପ୍ରସ୍ତାବିତ ଷ୍ଟପେଜରେ ଧନ୍ୟବାଦ ଜଣାଇବାକୁ ଉପସ୍ଥିତ ରହିବେ ଦଳୀୟ ନେତା ଓ କର୍ମୀ ।
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ନଭେମ୍ବର ମାସରେ ରାଜ୍ୟ ସରକାର ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ଚୁକ୍ତି କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରାୟ 6255 କୋଟି ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ପ୍ରକଳ୍ପ କାମ ସରିବା ପାଇଁ 4 ବର୍ଷ ସମୟ ଲାଗିବ ବୋଲି କୁହାଯାଇଥିଲା । ତେବେ ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପରେ ଏହା ସବୁଠୁ ବଡ଼ ଅର୍ଥ ବିନିଯୋଗ ହେବ । ଏବେ ସମ୍ପ୍ରସାରିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ କାଠଯୋଡି ପୋଲ ଉପରେ ପ୍ରାୟ 700 କୋଟି ଟଙ୍କା ବ୍ୟୟରେ ୬ ଲେନ ବିଶିଷ୍ଟ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏହି ସେତୁର ଉପରେ ରେଳଧାରଣା ରହିବ, ଯାହା ଉପରେ ମେଟ୍ରୋ ଟ୍ରେନ ଚଳାଚଳ କରିବ ।
ଏହା ମଧ୍ୟ ପଢ଼ନ୍ତୁ....ମେଟ୍ରୋ ରେଲ୍ DPRକୁ ଅନୁମୋଦନ, ଜାନୁଆରୀ 1ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ସେପଟେ କଟକ ଓ ଭୁବନେଶ୍ବର ମଧ୍ୟରେ ଗମନାଗମନର ଅନ୍ୟତମ ମାଧ୍ୟମ ପାଲଟିବାକୁ ଯାଉଛି ମେଟ୍ରୋ । ଜନସଂଖ୍ୟା ଓ ଗାଡ଼ି ମଟର ବୃଦ୍ଧିକୁ ଦୃଷ୍ଟିରେ ରଖି ମେଟ୍ରୋ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମେଟ୍ରୋ ପାଇଁ 2019ରେ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ପ୍ରକଳ୍ପର ଟର୍ଣ୍ଣ-କି ପରାମର୍ଶଦାତା ରହିବ । ଭୁବନେଶ୍ୱରରୁ ତ୍ରିଶୂଳିଆ 26 କିଲୋମିଟର ମେଟ୍ରୋ ରେଳ ଯାତ୍ରାରେ କ୍ୟାପିଟାଲ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆ ଛକ ଦେଇ ତ୍ରିଶୁଳିଆରେ ପହଁଚିବ । ମୋଟ 20ଟି ଷ୍ଟେସନ ନିର୍ମାଣ କରାଯିବା ନେଇ ଯୋଜନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର