ଖୋର୍ଦ୍ଧା: ବେଗୁନିଆରେ ଖାଲି ପଡିଛି ସରକାରୀ ପଦପଦବୀ । ଜଣେ ମାତ୍ର ଅଧିକାରୀଙ୍କ ଭରସାରେ ସରକାରୀ କାର୍ଯ୍ୟାଳୟ ଚାଲିଛି । ବେଗୁନିଆରେ ବିଡିଓ ଏକା ସାଙ୍ଗରେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ସବ୍ ରେଜିଷ୍ଟ୍ରାରର କାମ କରୁଛନ୍ତି । ଏହି ତିନି ପଦବୀରେ ଜଣେ ଅଧିକାରୀ ଦାୟିତ୍ୱରେ ରହିଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ଜନସାଧାରଣ । ଅନ୍ୟପଟେ ଅଫିସର ନଥିବାର ସୁଯୋଗ ନେଇ ମାଙ୍କଡା ପଥର ଚୋରା ଚାଲାଣ ମଧ୍ୟ ବୃଦ୍ଧି ପାଇଛି ।
ସୂଚନା ଅନୁଯାୟୀ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଗତ ଡିସେମ୍ବର ମାସ 14 ତାରିଖରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଏହା ପରଠାରୁ ବେଗୁନିଆ ତହସିଲରେ ଏଭଳି ପରିସ୍ଥିତି ଉପୁଜିଛି । ଦୀର୍ଘ ଦିନ ଧରି ଜଣେ ଅଧିକାରୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ପରେ ଠିକ ସମୟରେ ସରକାରୀ ସେବା ଜନସାଧାରଣ ପାଇପାରୁ ନାହାନ୍ତି । ସେହିଭଳି ବେଗୁନିଆ ସଦର ମହକୁମା ଉପରେ ପ୍ରତିଦିନ ବିଭିନ୍ନ ଜମିଜମା ସମ୍ପର୍କିତ କାର୍ଯ୍ୟ ପାଇଁ ଲୋକମାନେ ଆସୁଥିବା ବେଳେ ଅଧିକାରୀଙ୍କ ଦ୍ଵାରା ସଠିକ ସମୟରେ କାର୍ଯ୍ୟ ହୋଇପାରୁ ନାହିଁ । ସେହିପରି ବେଗୁନିଆ ଅଞ୍ଚଳରେ ବେଆଇନ ମାଙ୍କଡା ଖଣି ଚାଲୁଥିବା ବେଳେ ସ୍ଥାୟୀ ଅଧିକାରୀ ନଥିବା କାରଣରୁ ଯାଞ୍ଚ ହେଉନି । ଫଳରେ ପଥର ଚୋରା ଚାଲାଣ ବୃଦ୍ଧି ପାଉଛି ।
ଜଣେ ଅଧିକାରୀ ତିନୋଟି ପଦବୀରେ ରହିବାରୁ ରାଜସ୍ଵ ଆଦାୟରେ ବାଧା ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି । ତୁରନ୍ତ ବେଗୁନିଆରେ ସ୍ଥାୟୀ ତହସିଲଦାର, ଅତିରିକ୍ତ ତହସିଲଦାର, ସବ୍ ରେଜିଷ୍ଟ୍ରାର ପଦବୀ ପୂରଣ ପାଇଁ ଦାବି କରିଛନ୍ତି ବେଗୁନିଆ ଯୁବ ନେତା ପ୍ରକାଶ ଚନ୍ଦ୍ର ବାଲିଆରସିଂ ଓ ସମାଜସେବୀ ଶିବ ମୁନି । ସେପଟେ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛୁ ତୁରନ୍ତ ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି ।
ଡିସେମ୍ବର ୧୪ ତାରିଖ ଦିନ ଭିଜିଲାନ୍ସ ହାତରେ ଧରାପଡିଥିଲେ ବେଗୁନିଆ ତହସିଲଦାର ପୃଥିବୀରାଜ ମଣ୍ଡଳ । ହୃଦାନନ୍ଦ ସାହୁ ନାମକ ବ୍ୟକ୍ତିଙ୍କଠାରୁ ତାଙ୍କର ଜମିର କିସମ ପରିବର୍ତ୍ତନ ପାଇଁ 45 ହଜାର ଟଙ୍କା ଲାଞ୍ଚ ନେଉଥିଲେ ତହସିଲଦାର । ଧରା ପଡିବା ପରେ ପୃଥିବୀରାଜଙ୍କ ଭୁବନେଶ୍ବରରେ ଥିବା ବାସଭବନ ସହିତ ବେଗୁନିଆଠାରେ ଥିବା କାର୍ଯ୍ୟାଳୟ ଓ ତୁମୁଡିବନ୍ଧସ୍ଥିତ ପୈତୃକ ବାସଭବନରେ ରେଡ କରିଥିଲା ଭିଜିଲାନ୍ସ ଟିମ । ଏହି ରେଡ ସମୟରେ ପୃଥିବୀରାଜଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ଠାବ ହୋଇଥିଲା ।
ଇଟିଭି ଭାରତ, ଖୋର୍ଦ୍ଧା