ଭୁବନେଶ୍ବର: ବିଶ୍ୱ ଦେଖିବ ଲୋୟର ସୁକତେଲ ପ୍ରକଳ୍ପର କାହାଣୀ । ଓଡ଼ିଶା ରୂପାନ୍ତରଣର ଝଲକ ଦେଖିବ ପୁରା ବିଶ୍ବ । ନ୍ୟାସନାଲ ଜିଓଗ୍ରାଫିରେ ଆଜି ପ୍ରଦର୍ଶିତ ହେବ ଲୋୟର ସୁକତେଲର କାହାଣୀ । ଆଜି (ଶନିବାର) ସନ୍ଧ୍ୟା ୭ଟାରେ ଏହା ପ୍ରଦର୍ଶିତ ହେବ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ମଧ୍ୟ ପଢନ୍ତୁ-ଲୋୟର ଶୁକତେଲ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଗତ ୩ ତାରିଖରେ ବଲାଙ୍ଗୀରରେ ଲୋକାର୍ପିତ ହୋଇଥିଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୨୦୩ଟି ଗାଁର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ । ୭୦ ହଜାରରୁ ଅଧିକ ଲୋକ ପିଇବା ପାଣିର ସୁବିଧା ପାଇବେ । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି ଲୋୟର ସୁକତେଲ ପ୍ରକଳ୍ପ ।
ନ୍ୟାସନାଲ ଜିଓଗ୍ରାଫିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ସନ୍ଧ୍ୟା ୭ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଲୋୟର ସୁକତେଲ କାହାଣୀ । କେମିତି ତିଆରି ହୋଇଥିଲା ଲୋୟର ସୁକତେଲ ଡ୍ୟାମ, ପୁରା କାହାଣୀ ନ୍ୟାସନାଲ ଜିଓଗ୍ରାଫିର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସୁପରଷ୍ଟ୍ରକ୍ଚରରେ ପ୍ରଦର୍ଶିତ ହେବ । ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରୂପାନ୍ତରଣ ପ୍ରକଳ୍ପ ଲୋୟର ସୁକତେଲ ଡ୍ୟାମ ।
ଓଡିଶାର ନବମ ସର୍ବବୃହତ ବନ୍ଧ ହେଉଛି ଏହି ପ୍ରକଳ୍ପ । ୨୦୧୯ରୁ 5T ଉପକ୍ରମରେ ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି । ବଲାଙ୍ଗୀର, ସୋନପୁରର ଚାଷ ଜମି ଜଳସେଚିତ ହେବା ସହ ପାନୀୟ ଜଳର ସୁବିଧା ମଧ୍ୟ ମିଳିବ । ଟେକ୍ନୋଲୋଜିର ବ୍ୟବହାର କରାଯାଇ ଚାପଗ୍ରସ୍ତ ଭୂତଳ ପାଇପଲାଇନ ଜରିଆରେ ଜଳସେଚନର ବ୍ୟବସ୍ଥା କରାଯାଉଛି । ଏହି ଡ୍ୟାମର ଲମ୍ବ ୧୪୧୦ ମିଟର, ଉଚ୍ଚତା ୩୧ ମିଟର ଓ ସ୍ପିଲୱେ ୨୫୫ ମିଟର ରହିଛି । ଜଳସେଚନ ପାଇଁ କୌଣସି ପରିବାର ବିସ୍ଥାପନ ହେବ ନାହିଁ ।
ଲୋୟର ଶୁକତେଲ ପ୍ରକଳ୍ପ ପାଇଁ ୧୯୯୯ରେ ଘୋଷଣା ହୋଇଥିଲା । ପରେ କେନ୍ଦ୍ର ଯୋଜନା କମିଶନ ଏହାକୁ ମଞ୍ଜୁରୀ ଦେଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲାଲକିଲ୍ଲାରୁ ଏହି ପ୍ରକଳ୍ପ ହେବାର ଘୋଷଣା କରିଥିଲେ । ସେ ସମୟରେ କେନ୍ଦ୍ର ସରକାର ୨୧୭ କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ମଞ୍ଜୁର କରିବା ସହ ଅନୁଦାନ ଟଙ୍କା ପ୍ରଦାନ କରିଥିଲେ । ହେଲେ ଏହାର କାମ ଅହେତୁକ ବିଳମ୍ବ ହୋଇଥିଲା । ୨୦୧୯ରୁ ପୁଣି କାମ ଆରମ୍ଭ ହୋଇ କିଛି ଦିନ ତଳେ ଲୋକାର୍ପିତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର