ଭୁବନେଶ୍ବର: ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ବାମରା ଏବଂ ଧରୁଆଡିହ ଷ୍ଟେସନ ମଧ୍ୟରେ ଚାଲିଛି ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ। ଏନେଇ ଦୃଷ୍ଟିରେ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡୁଥିବା ଟ୍ରେନଗୁଡିକ ଗୋଟିଏ ଦିନକ ପାଇଁ ପ୍ରଭାବିତ ହେଉଛି। ତେଣୁ ଏହି ରେଳ ମଣ୍ଡଳ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ବାତିଲ ହୋଇଥିବା ବେଳେ ଆଉ କିଛି ଆଂଶିକ ବାତିଲ କରାଯାଇଛି। ଏହା ସହ କିଛି ଟ୍ରେନ ର ମଧ୍ୟ ସମୟରେ ପରିବର୍ତ୍ତନ କରାଯାଇଛି।
ତେବେ ବାତିଲ ହେବାକୁ ଥିବା ଟ୍ରେନ ଗୁଡ଼ିକ ହେଲା:- 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 26 ତାରିଖ ଦିନ ବାତିଲ ହୋଇଛି। ସେହିପରି 8108 ଜଗଦଲପୁର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ଜଗଦଲପୁରରୁ 25 ତାରିଖ ଦିନ ବାତିଲ ହୋଇଛି। ଅନ୍ୟପଟେ 18107 ରାଉରକେଲା-ଜଗଦଲପୁର ଇଣ୍ଟର ସିଟି ଏକ୍ସପ୍ରେସ ରାଉରକେଲାରୁ 26 ତାରିଖ ଦିନ ବାତିଲ କରାଯାଇଥିବା ବେଳେ 8118 ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ଗୁଣୁପୁରରୁ 25 ତାରିଖ ଦିନ ବାତିଲ ହୋଇଛି। ସେହିପରି 18117 ରାଉରକେଲା-ଗୁଣୁପୁର ରାଜ୍ୟରଣୀ ଏକ୍ସପ୍ରେସ ରାଉରକେଲାରୁ 26 ତାରିଖ ଦିନ ବାତିଲ କରାଯାଇଛି।
ଅନ୍ୟପଟେ କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି। 25 ତାରିଖ ଦିନ ବାଙ୍ଗାଲୋରରୁ ଛାଡିବାକୁ ଥିବା 12836 ବାଙ୍ଗାଲୋର-ହଟିଆ ଏକ୍ସପ୍ରେସ 03 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ। ସେହିପରି 26 ତାରିଖ ଦିନ ସମ୍ବଲପୁରରୁ ଛାଡିବାକୁ ଥିବା 18311 ସମ୍ବଲପୁର-ବନାରସ ଏକ୍ସପ୍ରେସ 02 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ। ଏଥିସହ 25.04.2023 ଦିନ ଋଷିକେଶରୁ ଛାଡିବାକୁ ଥିବା 18478 ଯୋଗ ନାଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 03 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ।
ସେହିପରି ଆଂଶିକ ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଲା 26.04.2023 ଦିନ ହାଓ୍ବାଡ଼ାରୁ ଛାଡିବାକୁ ଥିବା 12871 ହାଓଡ଼ା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ ଚକ୍ରଧରପୁର ପର୍ଯ୍ୟନ୍ତ ଯାତ୍ରା କରିବ। ଚକ୍ରଧରପୁରରୁ ଟିଟିଲାଗଡ ପର୍ଯ୍ୟନ୍ତ ବାତିଲ ହୋଇ ରହିବ। ଏହି ଟ୍ରେନ୍ ଏକ ସ୍ୱତନ୍ତ୍ର ଟ୍ରେନ ଭାବରେ ହାଓଡ଼ାକୁ ଫେରିବ। 26.04.2023 ଦିନ କଣ୍ଟାବାଞ୍ଜୀରୁ ଛାଡିବାକୁ ଥିବା 22862 କାଣ୍ଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଝାରସୁଗୁଡା ପର୍ଯ୍ୟନ୍ତ ଯାତ୍ରା କରିବ। ଝାରସୁଗୁଡାରୁ ହାଓଡ଼ା ପର୍ଯ୍ୟନ୍ତ ବାତିଲ ରହିବ। ଏହି ଟ୍ରେନ୍ ଟିଟିଲାଗଡ ବା କାଣ୍ଟାବାଞ୍ଜିକୁ ଏକ ସ୍ୱତନ୍ତ୍ର ଟ୍ରେନ ଭାବରେ ଫେରିବ।
25.04.2023 ଦିନ ପୁରୀରୁ ଛାଡିବାକୁ ଥିବା 18452 ପୁରୀ-ହଟିଆ ତପସ୍ବିନି ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ଯାତ୍ରା କରିବ। ସମ୍ବଲପୁରରୁ ହଟିଆ ପର୍ଯ୍ୟନ୍ତ ବାତିଲ ରହିବ। 26.04.2023 ଦିନ ହଟିଆରୁ ଛାଡିବାକୁ ଥିବା 18451 ହଟିଆ-ପୁରୀ ତପସ୍ୱିନି ଏକ୍ସପ୍ରେସ ହଟିଆ ପରିବର୍ତ୍ତେ ସମ୍ବଲପୁରରୁ ପୁରୀ ଯାତ୍ରା କରିବ। ହଟିଆରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ରହିବ।
ଇଟିଭି ଭାରତ, ଭୁବନେଶ୍ବର