ଭୁବନେଶ୍ବର: ଜୟଦେବ ଭବନ ଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜଟଣୀ ସ୍ଥିତ ‘ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ସ୍ୱରୂପ ୨ ଲକ୍ଷ ଟଙ୍କା ମାନରାଶି ସମେତ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା ।
ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଭୁବନେଶ୍ୱରସ୍ଥିତ ଆଇଏମ୍ଏମ୍ଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରାଉରକେଲା ସ୍ଥିତ ଏନ୍ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌ ସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ. ସରୋଜକାନ୍ତ ବାରିକଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯାଇଥିଲା । ଉପରୋକ୍ତ 4 ଜଣଙ୍କୁ ଏକ ଲକ୍ଷ ଟଙ୍କା ମାନରାଶି ସାଙ୍ଗକୁ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକଫରାଲ ଫେଲୋ ଡ. ଶଶାଙ୍କ ଶେଖର ସ୍ୱାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ. ନିବେଦିତା ଦାଶ, ଏନ୍ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ପୁରସ୍କୃତ କରାଯାଇ ଥିବା ବେଳେ ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ଦିଆଯାଇଥିଲା ।
ଯୁବବୈଜ୍ଞାନିକ ପୁରସ୍କାର ଓ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ମାନରାଶି ସାଙ୍ଗକୁ ଉପଢ଼ୌକନ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ସତ୍ୟାନନ୍ଦ ସ୍ୱାଇଁ ଓ ଅଜୟ କୁମାର ପାତ୍ରଙ୍କୁ ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ବିଜ୍ଞାନ ଓ କାରିଗରୀ ବିଭାଗ ଉଦ୍ଭାବନ, ଷ୍ଟାର୍ଟ ଅପ୍, ବାୟୋ-ଟେକ୍ନୋଲୋଜି ଇକୋ-ସିଷ୍ଟମର ବିକାଶ କ୍ଷେତ୍ରରେ ବିଜ୍ଞାନ ଓ କାରିଗରୀ ବିଭାଗ ସଫଳ ପଦକ୍ଷେପ ନେଇଛି ବୋଲି ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଆମ ପୋଖରୀ କାର୍ଯ୍ୟକ୍ରମ ଶୁଭାରମ୍ଭ; ୧୧୫ ପୌରାଞ୍ଚଳର ୨୦୦୦ ବୃହତ ଜଳାଶୟର ନବୀକରଣ
ସେ ଆହୁରି ମଧ୍ୟ କହିଛନ୍ତି, ‘ଗବେଷଣା ଓ ବିକାଶ, ଶିକ୍ଷକମାନଙ୍କ ତାଲିମ ଏବଂ ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ଶିକ୍ଷା ନିମନ୍ତେ ଅଧିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ କାର୍ଯ୍ୟ କରିବ ।’ ତେଣୁ ଖୁବ୍ଶୀଘ୍ର ସରକାର ରାଜ୍ୟ ବାୟୋ-ଟେକ୍ନୋଲୋଜି ନୀତି ଘୋଷଣା କରିବେ ବୋଲି ମଧ୍ୟ କହିଛନ୍ତି । ସେହିପରି ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏକାଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଏକାଡେମୀ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରିକାର ଅଡିଓ ସଂସ୍କରଣ ଜାରି କରିବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି ।