ଭୁବନେଶ୍ବର: ରୁକୁଣା ରଥଯାତ୍ରାରେ ସାମିଲ ହେବେ ସେବାୟତ । ଅଶୋକାଷ୍ଟମୀ ପାଇଁ ବସିଥିବା ସମନ୍ବୟ ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସେବାୟତ । ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରାର ନୀତିକାନ୍ତିରେ ଯେମିତି କିଛି ତ୍ରୁଟି ନହେଉ ବା ଏହି ନୀତିରେ କିଭଳି କିଛି ବାଧା ନ ଉପୁଜୁ ସେ ସବୁକୁ ନଜରରେ ରଖି ପ୍ରଭୁଙ୍କ ପାଇଁ ସେବାରେ ସାମିଲ ହେବେ ସେବାୟତ । ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ବସିଥିବା ପାଳିଆ ସେବାୟତଙ୍କ ବୈଠକରୁ ଏହି ନିଷ୍କର୍ସ ଆସିଛି ।
ଲିଙ୍ଗରାଜଙ୍କ ପାଇଁ ମନ୍ଦିର ପ୍ରଶାସନର କଥା ରଖିଛନ୍ତି ସେବାୟତ । ଆଉ ରଥଯାତ୍ରାର ସମସ୍ତ ନୀତିକାନ୍ତିଙ୍କୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଲିଙ୍ଗରାଜ ମନ୍ଦିରର ସେବାୟତ ସୁପେରିଟେଣ୍ଡେଣ୍ଟ ରାଜ କିଶୋର ମହାପାତ୍ର । ତେବେ ଏହି ପାଳିଆ ସେବାୟତଙ୍କ ବୈଠକରେ ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ, ବଡୁ ନିଯୋଗ ଓ ଖୁଣ୍ଟିଆ ନିଯୋଗର ସେବାୟତ ମାନେ ଉପସ୍ଥିତ ଥିଲେ ।
ଅନ୍ୟପଟେ ରୁକୁଣା ରଥକୁ ନେଇ ସେବାୟତଙ୍କ ଭିତରେ ହୋଇଥିବା ବୈଠକ ପରେ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଅପରାହ୍ନ ୩ରୁ ୩.୩୦ ଭିତରେ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା । ସବୁ ନୀତି ନିୟମକୁ ସଠିକ ସମୟ ଅନୁସାରେ କରାଯିବ । ୫ରୁ ୫.୩୦ରେ ମଙ୍ଗଳ ଆଳତୀରୁ ରୁକୁଣାରଥର ନୀତିକାନ୍ତି ଆରମ୍ଭ ହେବାକୁ ଥିବା ବେଳେ ୧୨ରୁ୧୨.୩୦ରେ ଭୋଗ ଲାଗି ହେବ, ୨ ରୁ ୨.୩୦ରେ ଭିତରେ ରଥରେ ପୂଜା କରାଯିବ । ୩ରୁ୩.୩୦ରେ ରଥ ଟଣା ହେବ ବୋଲି କୁହାଯାଇଛି । ଏହାସହ ମଙ୍ଗଳ ଆଳତୀ ସମୟ ଅନୁସାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ସବୁ ଠିକ ସମୟରେ ସମାପନା ହେବ ବୋଲି କହିଛନ୍ତି ସେବାୟତ ।
ସୂଚନା ମୁତାବକ, ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ ଯାତ୍ରା । ଆଉ ଏହି ଯାତ୍ରାକୁ ପାରମ୍ପରିକ ଧାରା ସହ ଶୃଙ୍ଖଳିତ ଢଙ୍ଗରେ କରିବାକୁ ସେବାୟତଙ୍କ ସମେତ ମନ୍ଦିର ପ୍ରଶାସନ, ବିଏମସି, ବିଦ୍ୟୁତ ବିଭାଗ, ଜଳ ବିଭାଗ, ରେଡକ୍ରସ ଭଳି ବିଭିନ୍ନ ସେବା ଯୋଗାଉଥିବା ବିଭାଗ ସମେତ କମିସନରେଟ ପୋଲିସର ସହଯୋଗିତାରେ ଅନୁଷ୍ଠିତ ହୋଇଥାଏ । ଆଉ ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ସେଥିରେବି ଯୋଗଦେଇନଥିଲେ ସେବାୟତ । ପରେ ପୁଣି ସବୁ ବିଭାଗର ଅଧିକାରୀ ସମେତ ସେବାୟତଙ୍କୁ ନେଇ ସମନ୍ୱୟ ବୈଠକ କରାଯାଇଥିଲା । ଆଉ ସେଥିରେ ଖୁଣ୍ଟିଆ ସେବାୟତଙ୍କୁ ଛାଡି ବାକି ତିନି ନିଯୋଗର ସେବାୟତ ଯୋଗଦେଇନଥିଲେ ।
ତେବେ ଦୁଇ ଦୁଇ ଥର ବୈଠକରେ ସେବାୟତ ମାନେ ଯୋଗଦେଇ ନ ଥିବା ବେଳେ ସେବାୟତଙ୍କୁ ମନେଇବା ପାଇଁ ସୋମବାର ଶେଷ ବୈଠକ ବସାଇଥିଲା ମନ୍ଦିର ପ୍ରଶାସନ । ଆଉ ଏହି ଶେଷ ବୈଠକରେ ପ୍ରଭୁଙ୍କ ସେବାକୁ ଚାହିଁ ସେବାୟତ ରଥଯାତ୍ରାର ସମସ୍ତ ନୀତିକାନ୍ତିଙ୍କୁ ସୁରୁଖୁରୁରେ କରିବା ପାଇଁ ରାଜି ହୋଇଥିଲେ ଅର୍ଥାତ ସେବାୟତ ତାଙ୍କର ସମସ୍ତ ଜିଦକୁ ଛାଡ଼ି ସେବା ଦେବେ ବୋଲି କହିଥିଲେ । କାରଣ ରଥ ହେଉ ଅବା ମନ୍ଦିରର ନୀତିକାନ୍ତି ସେବାୟତଙ୍କ ବିନା ବାବାଙ୍କର କାର୍ଯ୍ୟ ବା ପୂଜାର୍ଚ୍ଚନା ସମ୍ଭବ ନୁହେଁ । ତେଣୁ ବାବାଙ୍କ ସେବାକୁ ସମ୍ମାନ ଜଣାଇବା ଊର୍ଦ୍ଧ୍ବରେ ରଖି ଏଭଳି ନିଷ୍ପତ୍ତି ସେବାୟତଙ୍କ ପକ୍ଷରୁ ନିଆଯାଇଛି । ଆଜିବି ମନ୍ଦିର ପ୍ରଶାସନ ସମ୍ମୁଖରେ ସେବାୟତ ସେମାନଙ୍କର ଦାବିକୁ ସେଭଳି ରଖିଛନ୍ତି ଆଉ ଜିଦରେ ଅଟଳ ରହି ଦାବି ପୂରଣ ପାଇଁ ପ୍ରଶାସନ ଉପରେ ଚାପ ପକାଉଛନ୍ତି । ଆଉ ଅଶା ରଖିଛନ୍ତି ପାରମ୍ପରିକ ଗତ ସେବାୟତଙ୍କ ଅଧିକାରକୁ ପୂରଣ କରିବ ପ୍ରଶାସନ ।
ଇଟିଭି ଭାରତ, ଭୁବନେଶ୍ବର