ଭୁବନେଶ୍ବର: ବିଜୁ ପଟ୍ଟନାୟକ ବୈଷିୟକ ବିଶ୍ବବିଦ୍ୟାଳୟର (BPUT) ନୂଆ କୂଳପତି ଭାବେ ନିଯୁକ୍ତି ହେଲେ ପ୍ରଫେସର ଅମୀୟ କୁମାର ରଥ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅମୀୟ କୁମାର ରଥଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ରଥ ବର୍ତ୍ତମାନ ବାଙ୍ଗାଲୁରୁ ସ୍ଥିତ ନାକ୍ର ଉପଦେଷ୍ଠା ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ପାଞ୍ଚ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇଛି । ଅମୀୟ ରଥଙ୍କର ପ୍ରାୟ 33 ବର୍ଷର ଶିକ୍ଷା ପ୍ରଦାନର ଅଭିଜ୍ଞତା ରହିଛି । ଏଥିସହିତ ସେ 9ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ତାଙ୍କ ତତ୍ବାବଧାନରେ ଏପର୍ଯ୍ୟନ୍ତ 12 ଜଣ ପିଏଚଡି ଏବଂ 17 ଜଣ ପିଜି ସ୍କଲାର କୃତିତ୍ବ ହାସଲ କରିଛନ୍ତି ।
ପ୍ରକାଶ ଥାଉକି, ଚଳିତ ବର୍ଷ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ନିଯୁକ୍ତ ହୋଇଛନ୍ତି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଥିଲେ ପ୍ରଫେସର ସ୍ୱାଇଁ । ସେ ତିନି ବର୍ଷ ଏହି ପଦବୀରେ ରହିବେ । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରସନ୍ନ ସ୍ୱାଇଁଙ୍କୁ କୁଳପତି ଭାବେ ନିଯୁକ୍ତ କରିଥିଲେ । ଅଧ୍ୟାପନାରେ ପ୍ରଫେସର ସ୍ୱାଇଁଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ତାଙ୍କର 31 ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି । ପ୍ରଫେସର ସ୍ୱାଇଁ 10ଟି ପୁସ୍ତକ ରଚନା କରିଛନ୍ତି । ଏହା ସହ ସଫଳତାର ସହିତ 2 ଟି ଡିଏଲଆଇଟି, 15 ପିଏଚଡ଼ି ଏବଂ 56 ଏମଫିଲଙ୍କୁ ମାର୍ଗଦର୍ଶନ କରିଛନ୍ତି ପ୍ରଫେସର ସ୍ୱାଇଁ । ସୂଚନା ଅନୁଯାୟୀ, ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର, ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୯୯ ମସିହାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଥିଲା । କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗଠନ କରାଯାଇଥିବା ଦେଶରେ ଏହା ପ୍ରଥମ ଓ ଏକମାତ୍ର ବିଶ୍ୱବିଦ୍ୟାଳୟ ।
ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟର କୁଳାଧିପତି ବିଶ୍ଵବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତି କରିଥାନ୍ତି । ଏହି କ୍ରମରେ ନିକଟରେ OUTRର ନୂଆ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ 3 ଟି ପୁସ୍ତକ ରଚନା କରିଛନ୍ତି । 24 ପିଏଚଡି ଏବଂ 45 ପିଜି ଛାତ୍ରଛାତ୍ରୀଙ୍କ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ।
ଇଟିଭି ଭାରତ, ଭୁବନେଶ୍ବର