ଖୋର୍ଦ୍ଧା: ଶେଷରେ ପୂରଣ ହେବାକୁ ଯାଉଛି ସାଙ୍ଗକୁ ଭେଟିବାର ଇଚ୍ଛା । ରାଷ୍ଟ୍ରପତି ଭବନରୁ ବନ୍ଧୁଙ୍କୁ ଭେଟିବା ପାଇଁ ଆସିଲା ଡାକରା । ରାଷ୍ଟ୍ରପତି ଭବନରୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପିଲାଦିନର ସାଙ୍ଗ ଗୌରୀ ମଲ୍ଲିକଙ୍କ ନିକଟକୁ ଡାକରା ଆସିଛି । ଯିଏ ଦୀର୍ଘ ବର୍ଷ ତଳେ ଭୁବନେଶ୍ୱର କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢିବା ସହ ଗୋଟିଏ ହଷ୍ଟେଲରେ ମହାମହିମଙ୍କ ସହ ରହୁଥିଲେ । ଗୋଟିଏ ଶ୍ରେଣୀରେ ପାଠ ପଢିବା ସହ ନାଚ ଗୀତ କରୁଥିଲେ ସେମାନେ । ଉଭୟଙ୍କ ମଧ୍ୟରେ ଥିଲା ନିବିଡ଼ ସମ୍ପର୍କ । ଆଉ ଏ ଖବର ଇଟିଭି ଭାରତରେ ପ୍ରକାଶିତ ହୋଇଥିଲା । କିଭଳି ଭାବେ ମହାମହିମ ରାଷ୍ଟ୍ରପତିଙ୍କ ପିଲା ଦିନର ସାଙ୍କ ତାଙ୍କୁ ଭେଟିବାକୁ ଚାତକ ଭଳି ଚାହିଁ ରହିଛନ୍ତି ତାହା ପ୍ରସାରଣ ହେବା ପରେ ଆଜି ପୂରଣ ହେବାକୁ ଯାଉଛି ଗୌରୀଙ୍କ ଆଶା ।
କୃଷ୍ଣ ସୁଦାମାଙ୍କ ପରି ଦୁଇ ସାଙ୍ଗଙ୍କ ବିଷୟରେ ଖବର ପ୍ରକାଶିତ ହୋଇଥିଲା । ସେହି ଖବର ମଧ୍ୟ ମହାମହିମ ରାଷ୍ଟ୍ରପତିଙ୍କ ଦୃଷ୍ଟି ଗୋଚର ହେବା ପରେ ରାଷ୍ଟ୍ରପତି ଭବନରୁ ଆସିଛି ପିଲାବେଳର ସାଙ୍ଗ ଗୌରୀ ଦେବୀଙ୍କୁ ଭେଟିବା ପାଇଁ ଡାକରା । ଏହି ସୁନ୍ଦର ମୁହୂର୍ତ୍ତର ଭେଟଘାଟ ଆସନ୍ତା ୨୬ ତାରିଖ ସନ୍ଧ୍ୟା ସମୟରେ ରାଜଭବନରେ ହେବାକୁ ଥିବାବେଳେ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଏନେଇ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ଆସିଛି । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ତତ୍ପରତା ପ୍ରକାଶ କରିଛି । ଗୌରୀଙ୍କୁ ଏହି ବିଷୟରେ ବେଗୁନିଆ ବିଡିଓ ଜଣାଇବା ସହିତ କିଭଳି ସୁରୁଖୁରୁରେ ମହାମହିମ ରାଷ୍ଟ୍ରପତିଙ୍କ ସହିତ ଗୌରାଙ୍କ ଭେଟଘାଟ ହେବ ସେନେଇ ତତ୍ପରତା ପ୍ରକାଶ କରିଛି ପ୍ରଶାସନ ।
ତେବେ ଗୌରୀ ଦେବୀଙ୍କ ଦୀର୍ଘ ବର୍ଷର ଆଶା ଏବେ ତାହା ଗଣମାଧ୍ୟମ ଦ୍ବାରା ପୂରଣ ହେବାକୁ ଯାଉଛି । ପିଲା ଦିନର ସ୍ମୃତିକୁ ସେ ମନେପକାଇ ରାଷ୍ଟ୍ରପତିଙ୍କୁ ଭେଟି ଏହି ପୁରୁଣା ସ୍ମୃତି ବାଣ୍ଟିବା ପାଇଁ ଆଶା ରଖିଛନ୍ତି । ମହାମହିମଙ୍କୁ ଭେଟିବା ପାଇଁ ଗୋୖରୀ ଦେବୀଙ୍କ ସହ ତାଙ୍କ ପୁଅ ଓ ବୋହୂଙ୍କୁ ଭେଟିବାକୁ ଅନୁମତି ମିଳିଥିବା ଜଣାପଡିଛି । ତେବେ ମହାମହିମ ରାଷ୍ଟ୍ରପତିଙ୍କ ଡାକରା ପାଇଁ ବେଶ ଖୁସି ଅଛନ୍ତି ଗୌରୀ ଦେବୀ । ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଶେଷ ଧନ୍ୟବାଦ ଦେବା ସହିତ ଗଣମାଧ୍ୟମ ପାଇଁ ତାଙ୍କ ପିଲାଦିନର ସାଙ୍ଗ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବା ନେଇ ଥିବା ଆଶା ଆଜି ପୂରଣ ହୋଇଛି ବୋଲି କହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା