ଭୁବନେଶ୍ବର: ୱାନ୍ ନେସନ୍ ୱାନ୍ ଇଲେକ୍ସନ୍କୁ ନେଇ ଦେଶରେ ରାଜନୈତିକ ବାତାବରଣ ସରଗରମ ରହିଛି । ବାସ୍ତବିକ ଯଦି ଏକକ ନିର୍ବାଚନ ହେଉଛି, ତେବେ ଏହା କାହାକୁ ସୁହାଇବ ? ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ କଂଗ୍ରେସ ଭଳି ଏକ ପ୍ରମୁଖ ରାଜନୈତିକ ଦଳ ଏହାର ବିରୋଧ କରିବା ଆରମ୍ଭ କରିଛି । ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ କଥା କହି ଦେଶବାସୀଙ୍କୁ ସରକାର ଏକ ଦ୍ବନ୍ଦ୍ବ ଭିତରକୁ ନେଇ ଯାଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । ସେପଟେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଏହି ବ୍ୟବସ୍ଥା ଗଣତନ୍ତ୍ର ହିତରେ ବୋଲି କହିଥିବା ବେଳେ ଧ୍ରୁବିକରଣ ରାଜନୀତିରେ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ ।
'ରାଜନୈତିକ ଓ ସାମ୍ବାଧାନିକ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ଏ ବ୍ୟବସ୍ଥା': ପଞ୍ଚାନନ କହିଛନ୍ତି, "ମୋଦି ସରକାର କହିଥିଲେ ୱାନ୍ ନେସନ୍ ୱାନ୍ ଟାକ୍ସ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ସମ୍ଭବ ହୋଇପାରିଲାନି । ଆଜି ବି ୭ ପ୍ରକାରର ଟାକ୍ସ ଦେବାକୁ ପଡୁଛି । ତେଣୁ ଏକକ ନିର୍ବାଚନ ମଧ୍ୟ ସମ୍ଭବ ନୁହେଁ । କାରଣ ଭାରତ ଗୋଟିଏ ମଲ୍ଟି ନ୍ୟାସନାଲ ଷ୍ଟେଟ୍ । ଯଦି ଏକକ ନିର୍ବାଚନ କରିବେ ତେବେ ଏହା ୫ଟି ଷ୍ଟେଜରେ ହେବ । ୩ ମାସ ଧରି ଚାଲିବ । କାରଣ ନିର୍ବାଚନକୁ ପରିଚାଳନା କରିବା ପାଇଁ ଯେଉଁ ଇଲେକ୍ସନ ମେସିନାରୀ ଦରକାର, ତାହା ସରକାରଙ୍କ ପାଖରେ ନାହିଁ । ଅନ୍ୟ ଏକ କାରଣ ହେଲା ଭୌଗଳିକ ଅବସ୍ଥିତି । ଗୋଟିଏ ସମୟରେ ନିର୍ବାଚନ ହେଲେ ସେହି ରାଜ୍ୟର ଭୌଗଳିକ ସ୍ଥିତି ସୁହାଇ ନପାରେ । ବଡ଼କଥା ହେଲା, ଏକକ ନିର୍ବାଚନରେ କୌଣସି ରାଜ୍ୟରେ ସରକାର ଗଠନ ହେଲା ପରେ ଯଦି 'ନୋ କନଫିଡେନ୍ସ ମୋସନ'ରେ ସରକାର ଭାଙ୍ଗିଯାଏ, ତେବେ କଣ କରାଯିବ ?" ଏହି ପ୍ରଶ୍ନ ଉଠାଇଛନ୍ତି ପଞ୍ଚାନନ । ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ରାଜନୈତିକ ଓ ସାମ୍ବାଧାନିକ ବ୍ୟବସ୍ଥାକୁ ଖିନ୍ବିନ୍ କରିବା ପାଇଁ ଏହି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବ୍ୟବସ୍ଥା ବୋଲି ସେ ଅଭିଯୋଗ କରିଛନ୍ତି ।
'ଦେଶ ଓ ଗଣତନ୍ତ୍ର ହିତରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ': ଅନ୍ୟପଟେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, "ଏହି ବ୍ୟବସ୍ଥାର ସବୁଠୁ ବଡ଼ ଲାଭ ହେଲା ସରକାରୀ ଖର୍ଚ୍ଚ କମିବ । ବିଭିନ୍ନ ସମୟରେ ନିର୍ବାଚନ ହେଉଥିବାରୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା ଦ୍ବାରା ଦେଶବାସୀ କ୍ଷତି ସହୁଥିଲେ । ଆଉ ସହିବାକୁ ପଡିବନି । ରାଜନୈତିକ ଦଳ ଗୁଡିକର ଖର୍ଚ୍ଚ ମଧ୍ୟ କମିଯିବ । ଦେଶର ଗଣତନ୍ତ୍ର ପାଇଁ ଭଲ ପଦକ୍ଷେପ । ରାଜୈତିକ ସଂକୀର୍ଣ୍ଣତାରୁ ବାହାରି ସମସ୍ତ ରାଜନୈତିକ ଦଳ ଗୁଡିକ ସମର୍ଥନ କରିବା ଦରକାର । ଏହି ନିଷ୍ପତ୍ତି ପୁରା ଦେଶ ପାଇଁ । ଯଦି କୌଣସି ରାଜ୍ୟରେ ନିର୍ବାଚନ ପରେ ସରକାର ଭାଙ୍ଗିଯାଏ, ତା ପାଇଁ ମଧ୍ୟ ବାଟ ବାହାର କରାଯିବ । କେବଳ ରାଷ୍ଟ୍ରପତି ଶାସନ ଗୋଟିଏ ବାଟ ନୁହେଁ ଅନ୍ୟ ଉପାୟ ମଧ୍ୟ ବାହାର କରାଯିବ ।"
ଏହା ମଧ୍ୟ ପଢ଼ନ୍ତୁ...ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ଓଡିଶାରେ ତର୍କ ବିତର୍କ
'ସରକାରଙ୍କ ପାଇଁ ଏକ ରିସ୍କି ବିଜ୍ନେସ': ତେବେ ଦେଶରେ ଚାଲିଥିବା ଧ୍ରୁବିକରଣ ରାଜନୀତିରେ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ । ସେ କହିଛନ୍ତି, "ଏକକ ନିର୍ବାଚନ ବ୍ୟବସ୍ଥା ୧୯୬୭ ପର୍ଯ୍ୟନ୍ତ ଥିଲା । କିନ୍ତୁ କାହିଁକି ଏହାକୁ ଉଠାଇ ଦିଆଗଲା ତା ପଛର କାରଣ ବୁଝିବାକୁ ପଡିବ । ଏକକ ନିର୍ବାଚନ ହେଲେ ୫ଟି ସାମ୍ବିଧାନିକ ସଂଶୋଧନ ଆଣିବାକୁ ପଡିବ । ଯଦି ପଞ୍ଚାୟତସ୍ତରରେ ନିର୍ବାଚନ ହୁଏ, ତେବେ ଆଉ ଦୁଇଟି ସାମ୍ବିଧାନିକ ସଂଶୋଧନ ଆଣିବାକୁ ପଡିବ । ଅଧାରୁ ଅଧିକ ରାଜ୍ୟ ସହମତି ଦେବା ମଧ୍ୟ ଦରକାର । ଯଦି ଏକକ ନିର୍ବାଚନରେ ସରକାର ଗଠନ ହୁଏ ଏବଂ ପରବର୍ତ୍ତୀ ସମୟରେ କୌଣସି କାରଣ ପାଇଁ ସରକାର ଭାଙ୍ଗିଯାଏ, ତେବେ ଶାସନ କେମିତି ଚାଲିବ ? ବର୍ତ୍ତମାନ ନିର୍ବାଚନରେ ଭୋଟର ପିଛା ୧୦ ଟଙ୍କା ଖର୍ଚ୍ଚ ହେଉଛି । ଏକକ ନିର୍ବାଚନ ହେଲେ ଭୋଟର ପିଛା ୫ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । ଏହି ଖର୍ଚ୍ଚ କାଟ୍ ପାଇଁ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ କରିବା କେତେଦୂର ଗ୍ରହଣଯୋଗ୍ୟ, ତାର ବିଚାର କରାଯିବା ଦରକାର । କାରଣ ଇଭିଏମ୍ ଓ ପୋଲିସ ମୁତୟନରେ ମଧ୍ୟ ବିପୁଳ ଖର୍ଚ୍ଚ ହେବ ।" ତେଣୁ ଏହା ଏକ ରିସ୍କି ବିଜ୍ନେସ ବୋଲି କହିଛନ୍ତି ରବି ଦାସ ।
ତେବେ ୱାନ୍ ନେସନ୍ ୱାନ୍ ଇଲେକ୍ସନ ନେଇ କେନ୍ଦ୍ର ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ନାଁ ରହିଥିବାବେଳେ ସେ ଏଥିରୁ ନିଜକୁ ଅଲଗା କରିନେଇଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ଡାକିଥିବା ସ୍ବତନ୍ତ୍ର ଅଧିବେଶନରେ ଏକକ ନିର୍ବାଚନ ପ୍ରସଙ୍ଗ ଉଠିପାରେ ବୋଲି ଚର୍ଚ୍ଚା ହେଉଛି । ଏବେ ଦେଖିବାର କଥା, ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଭିନ୍ନ ଭିନ୍ନ ରାଜନୈତିକ ଦଳ କିପରି ସହମତି ପ୍ରଦାନ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର