ଖୋର୍ଦ୍ଧା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଜନତାଙ୍କ ନିକଟତର ହେଉଛନ୍ତି ନେତା । ଟିକେଟ ରେସରେ ଆଶାୟୀ । ଏହାରି ମଧ୍ୟରେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ବିରୋଧରେ ଆସିଛି ସାଙ୍ଗାତିକ ଅଭିଯୋଗ । 2019 ବିଧାନସଭା ନିର୍ବାଚନ ସମୟରେ ବିଧାୟକ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ଜାଲିଆତି ହୋଇଛି । ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଦାନ କରାଯାଇଥିବା ତଥ୍ୟରେ ତାଳମେଳ ନଥିବା ଅଭିଯୋଗ ହୋଇଛି। ଏନେଇ ଖୋର୍ଦ୍ଧା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ତାଙ୍କ ବିରୋଧରେ 212/2023ରେ ମାମଲା ରୁଜୁ ହୋଇଛି । ଖୋର୍ଦ୍ଧା ପୌରାଞ୍ଚଳର 15 ନଂ ୱାର୍ଡ ବାସିନ୍ଦା ଉପେନ୍ଦ୍ର କୁମାର ରାଉତରାୟ ବିଧାୟକଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, ରେମୁଣା ବିଧାୟକଙ୍କ ନାଁରେ ମାମଲା
ଉପେନ୍ଦ୍ର ଅଭିଯୋଗରେ ଦର୍ଶାଇଛନ୍ତି ଯେ, 2019 ବିଧାନସଭା ନିର୍ବାଚନ ସମୟରେ ବିଧାୟକ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ସେ ଜାଲିଆତି କରିଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂକ୍ରାନ୍ତରେ ସେ ପ୍ରଦାନ କରିଥିବା ତଥ୍ୟରେ ତାଳମେଳ ନାହିଁ । ସେ ବ୍ୟାଙ୍କ ଋଣ କରିବା ପାଇଁ ଯେଉଁ ପ୍ରମାଣପତ୍ର ଦେଇଛନ୍ତି ଓ ସତ୍ୟପାଠରେ ଯେଉଁ ପ୍ରମାଣପତ୍ର ଦେଇଛନ୍ତି ସେଥିରେ ମଧ୍ୟ ତାଳମେଳ ନାହିଁ । ତାଙ୍କ ମାଟ୍ରିକ ପ୍ରମାଣପତ୍ର ଓ ପାନ କାର୍ଡ ସବୁ ଦୁଇ ଦୁଇଟି ବୋଲି ଅଭିଯୋଗକାରୀ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଫେକ ଆକାଉଣ୍ଟ ଖୋଲି ବିଧାୟକଙ୍କୁ ଫସାଇଲେ ସାଇବର ଠକ
ଏନେଇ ଅଭିଯୋଗକାରୀଙ୍କ ଓକିଲ ସନ୍ତୋଷ ଚନ୍ଦ୍ର ଅତବୁଦ୍ଧି କହିଛନ୍ତି ଯେ, ବେଗୁନିଆ ବିଧାୟକ ମାଟ୍ରିକ ସାର୍ଟିଫିକେଟ, ପାନ କାର୍ଡ, ଭୋଟର ପରିଚୟ ପତ୍ର ଦୁଇଟି ଲେଖାଏଁ ରଖିଛନ୍ତି ଏବଂ ସେଥିରେ ତାଙ୍କର ଜନ୍ମ ତାରିଖ ଭିନ୍ନ ଭିନ୍ନ ରହିଛି । ଯେହେତୁ ସେ ବିଧାୟକ ଅଛନ୍ତି ତେଣୁ ଘଟଣାରେ କୋର୍ଟରେ ମାମଲା ରୁଜୁ ହୋଇଛି । ସେହିପରି ଏହି ମାମଲାରେ ବିଧାୟକଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 419,420 ଭଳି ସଙ୍ଗୀନ ଦଫା ଲାଗିଛି । ଏ ସମ୍ପର୍କରେ ବେଗୁନିଆ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ବିଧାୟକ ରାଜେନ୍ଦ୍ର କୁମାର ସାହୁ ପୂର୍ବରୁ ଖୋର୍ଦ୍ଧାର ଦୁଇ ଥର ବିଧାୟକ ରହିଥିବା ବେଳେ ବର୍ତ୍ତମାନ ବେଗୁନିଆ ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା