ଭୁବନେଶ୍ବର: ଏଥର ରଜକୁ ଦ୍ବିଗୁଣିତ କରିବ ଅନୁଭବ ମହାନ୍ତିଙ୍କ ଚଳଚ୍ଚିତ୍ର । ରଜରେ ରିଲିଜ ହେବ ଓଡ଼ିଆ ଚଳଚିତ୍ର ଅନୁଭବ ମହାନ୍ତିଙ୍କ ‘ଲଭ ଇନ୍ ଲଣ୍ଡନ’। ଫିଲ୍ମର ସୁଟିଂ ଲଣ୍ଡନରେ ଓ ବାରିପଦାରେ ହୋଇଥିବା ବେଳେ, ଫିଲ୍ମର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି ଅନୁଭବ । ରଜ ସାଙ୍ଗକୁ ରୋମାଣ୍ଟିକ ଫିଲ୍ମର ମଜା ଉଠାଇବେ ଦର୍ଶକ ।
ଜେ.ବି. ଫିଲ୍ମ୍ସ ଓ ଆମର ଷ୍ଟୁଡିଓ ବ୍ୟାନରରେ, ନବୀନ ଭଣ୍ଡାରି ଓ ଜେ. ବର୍ଖାଙ୍କ ଦ୍ବାରା ପ୍ରଯୋଜିତ ଏହି ଭିନ୍ନ ଧରଣର ରୋମାଣ୍ଟିକ ଫିଲ୍ମ, ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ ଏବଂ ସୌମ୍ୟା ସଚଦେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି ତାପସ ସରଘରିଆ । ସେ ନିଜେ ଏହାର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ଗୀତର ସ୍ବର ସଜାଇଛନ୍ତି ବୈଦ୍ୟନାଥ ଦାଶ ଓ ସୋମେସ୍ ଶତପଥି ।
ପୋଷ୍ଟରରେ ନଜର ଆସୁଥିବା ଓଲିଉଡର ହ୍ୟାଣ୍ଡସମ ଆକ୍ଟର ତଥା ସାଂସଦ ଅନୁଭବଙ୍କ ଏକ ଲିପକିସ୍ ସିନ୍ ଆଉ ରିଲ୍ ଲାଇଫର ଏହି କିସ୍ ପାଇଁ ‘ଲଭ ଇନ୍ ଲଣ୍ଡନ’ ବେଶ୍ ଚର୍ଚ୍ଚାରେ ଅଛି । ଫିଲ୍ମର ଟିଜର ଆମର ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେଇ ସାରିଛି । ଏହି ଫିଲ୍ମର ଖାସ କଥା, ଓଲିଉଡର ଭାଇଯାନ ୨୦୧୯ ପରେପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ କମ୍ ବ୍ୟାକ୍ କରୁଥିବାରୁ ‘ଲଭ ଇନ୍ ଲଣ୍ଡନ’ ଓଡ଼ିଶାରେ ଏଇ ବର୍ଷର ସବୁଠାରୁ ବଡ଼ ହିଟ୍ ନିଶ୍ଚୟ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।
ପ୍ରକାଶଥାଉକି, ନିକଟରେ ବର ବେଶରେ ଥିବା ଅନୁଭବ ମହାନ୍ତିଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ହଇଚଇ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିଛନ୍ତି ? ଫଟୋ ଓ ଭିଡିଓରେ ଥିବା ଯୁବତୀ ଜଣକ କିଏ ? ଅନୁଭବ କଣ ଦ୍ବିତୀୟ ବିବାହ କରିଲେକି ? ଛାଡପତ୍ର ନହେଉଣୁ କେମିତି ସେ ଆଉ ଥରେ ବିବାହ କରିପାରିଲେ ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ହେଲେ ଏବେ ଅନ୍ତ ହୋଇଛି । ରଜରେ ରିଲିଜ ହେବ ଏହି ଲଭ ଇନ ଲଣ୍ଡନ ଫିଲ୍ମ ।
ଇଟିଭି ଭାରତ, ଭୁବନେଶ୍ବର