ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଭିନ୍ନ ବର୍ଗରେ ୭୯ ହଜାର ୫୬୫ ଟି ଆବେଦନ କରିଛନ୍ତି। ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ମୋଟ ୫ ହଜାର ୨୫ଟି ବିଦ୍ୟାଳୟ ଆବେଦନ କରିଛନ୍ତି। ଏହା ସହ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ୧୦ ହଜାର ୨୩ ଟି ବିଦ୍ୟାଳୟ ଆବେଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗର ପୁରସ୍କାର ପାଇଁ ରାଜ୍ୟରୁ ୭୯ ହଜାର ୫୬୫ ଜଣ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି । ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇ ୧୪ଟି ବର୍ଗରେ ବିଭିନ୍ନ ସ୍ତରରେ ପୁରସ୍କାର ପାଇଁ ଶ୍ରେଷ୍ଠ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଚୟନ କରାଯିବ। ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ମୋଟ ୫୦୨୫ଟି ବିଦ୍ୟାଳୟ ଆବେଦନ କରିଛନ୍ତି। ସେହିପରି ପ୍ରଧାନଶିକ୍ଷକ (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୪୩୦୪ ଜଣ ଓ ଶିକ୍ଷକ ପୁରସ୍କାର (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୧୪୨୬୨ ଜଣ ଶିକ୍ଷକ ଆବେଦନ କରିଛନ୍ତି। ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ୧୦୦୨୩ ଟି ବିଦ୍ୟାଳୟ ଆବେଦନ କରିଥିବାବେଳେ ପ୍ରଧାନଶିକ୍ଷକ (ପ୍ରାଥମିକ ବିଦ୍ୟାଳୟ) ପୁରସ୍କାର ପାଇଁ ୮୪୫୪ ଜଣ ଆବେଦନ କରିଛନ୍ତି। ଶିକ୍ଷକ ପୁରସ୍କାର (ପ୍ରାଥମିକ ବିଦ୍ୟାଳୟ) ନିମନ୍ତେ ସାରା ରାଜ୍ୟରୁ ୩୦୯୯୯ ଜଣ ଶିକ୍ଷକ ଆବେଦନ କରିଛନ୍ତି।
ଅଧିକ ପଢନ୍ତୁ- ସୁରଭି କାର୍ଯ୍ୟକ୍ରମ ନେଇ ସମୀକ୍ଷା ବୈଠକ, ଶିକ୍ଷା ପାଇଁ ଦିଆଯିବ ମୁଖ୍ୟମନ୍ତ୍ରୀ ପୁରସ୍କାର
ସେହିପରି ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ୩୫୯୫ଟି କମିଟି ଆବେଦନ କରିଛନ୍ତି। ଏହି ସମସ୍ତ ପୁରସ୍କାର ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଜିଲ୍ଲା ପୁରସ୍କାର ପାଇଁ ୨୩, ବ୍ଲକ ପୁରସ୍କାର ପାଇଁ ୧୩୮, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର ପାଇଁ ୨୪, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର ପାଇଁ ୧୦୩, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ୩୦, ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ୧୨୧୭, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍ସିସି) ପୁରସ୍କାର ପାଇଁ ୧୩୬୮ଟି ଆବେଦନ ଆସିଛି। ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିରେ ଏହି ଆବେଦନର ଯାଞ୍ଚ କରାଯାଇ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଚୟନ କରାଯିବ।
ସୂଚନା ଅନୁଯାୟୀ, ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ରେ ପୁରସ୍କୃତ କରାଯିବ। ରାଜ୍ୟସ୍ତରରେ ୧୯ ହଜାର ୪୬୭ଟି ପୁରସ୍କାର ବାବଦରେ ୩୨ କୋଟି ୧୭ ଲକ୍ଷ୍ୟ ୨୯ ହଜାର ଟଙ୍କା ପ୍ରଦାନ କରାଜୀବ। ସେହିପରି ଜିଲ୍ଲାସ୍ତରରେ ୪ ହଜାର ୬୮୦ଟି ପୁରସ୍କାର ପାଇଁ ୨୪ କୋଟି ୫୮ ଲକ୍ଷ୍ୟ ୫୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ। ବ୍ଲକ ସ୍ତରରେ ୩୪ ହଜାର ୮୫୪ଟି ପୁରସ୍କାର ବାବଦକୁ ୫୯ କୋଟି ୯୭ ଲକ୍ଷ୍ୟ ୪୦ ହଜାର ଟଙ୍କା ପ୍ରଦାନ କରାଯିବ। ମହାନଗର ନିଗମ ସ୍ତରରେ ୫୦ଟି ଓ ସବ୍ଡିଭିଜିନାଲ ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧ ଲକ୍ଷ୍ୟ ୬୦ ହଜାର ପୁରସ୍କାର ରାଶି ଦିଆଯିବ।
ଇଟିଭି ଭାରତ, ଭୁବନେଶ୍ବର