ଭୁବନେଶ୍ବର: ତାତିରୁ ମିଳିବ ତ୍ରାହି । ୧୮ ତାରିଖରୁ ପାଗରେ ଆସିବ ପରିବର୍ତ୍ତନ । ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ହେଉଛି ପାଗ । ୧୮ରୁ ୨୧ ଜୁନ୍ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଭାରତର ରାଜ୍ୟଗୁଡିକୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିସହ ଆସନ୍ତା ୨୪ ଘଣ୍ଟା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବରଗଡ଼ରେ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ସୁନ୍ଦରଗଡ । ଆସନ୍ତା 48 ଘଣ୍ଟା ପାଇଁ ପଶ୍ଚିମ ଓଡିଶାର 5 ଜିଲ୍ଲାରେ ଅତି ଗ୍ରୀଷ୍ମ ପ୍ରବାହକୁ ନେଇ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାମାନଙ୍କରେ ରାତିର ତାପମାତ୍ରା ମଧ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଗତ ୨୪ ଘଣ୍ଟାରେ ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଆଦି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଦେଖିବାକୁ ମିଳିଛି । ମୟୂରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ପାଣିପାଗର ଯାହା ନିୟାମକ ରହିଛି ପୁର୍ବ ବିହାରରୁ ଏକ ନିମ୍ନଚାପ ରେଖା ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ବ୍ୟାପିଛି । ଯାହାକି ବାୟୁମଣ୍ଡଳଠାରୁ ୧.୫ କିମି ପର୍ଯ୍ୟନ୍ତ ବ୍ୟାପିଛି । ଯାହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ୪ରୁ ୫ ଦିନ ପଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।
ଆରବ ସାଗରରେ 'ବିପର୍ଯ୍ୟୟ' ବାତ୍ୟା ଏବଂ ବଙ୍ଗୋପସାଗରରେ କ୍ଲାଉଡ ମାସର ପ୍ରଭାବରେ ତାପମାତ୍ରା ବଢ଼ି ଚାଲିଥିଲା । ଏବେ ସେଥିରେ ପରିବର୍ତ୍ତନ ଆସିବ । ମୌସୁମୀ ବାୟୁ ପ୍ରଭାବରେ ତାପମାତ୍ରରେ ପରିବର୍ତ୍ତନ ଘଟିବ । ୧୪ ତାରିଖ ରାତି ସୁଦ୍ଧା ଏହା ଗୁଜୁରାଟ ଉପକୂଳ ଏବଂ ପାକିସ୍ତାନ ସୀମାରେ ସ୍ଥିର ରହିବ । ୧୫ ତାରିଖରେ ଏହା ଗୁଜରାଟ-ପାକିସ୍ତାନ ସୀମା ଅତିକ୍ରମ କରିବ । ଯାହାର ପ୍ରଭାବରେ ଶୁଷ୍କ ବାୟୁ ପ୍ରବାହିତ ହେବ । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ମଧ୍ୟରେ ରହିବ । ଉପକୂଳ ଓଡ଼ିଶାରେ ଏତେଟା ତାତି ଅନୁଭୁତ ହେବ ନାହିଁ । କିନ୍ତୁ ଦିନ ୧୦ଟା ବେଳକୁ ଗୁଳୁଗୁଳି ଅନୁଭୁତ ହେବ ।
ଇଟିଭି ଭାରତ, ଭୁବନେଶ୍ବର