ଭୁବନେଶ୍ବର: ୨୦୨୨-୨୩ ଆର୍ଥିକ ବର୍ଷରେ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) କୋଇଲା ଉତ୍ପାଦନରେ ସର୍ବକାଳୀନ ରେକର୍ଡ କରିଛି । ଚଳିତ ବର୍ଷ କମ୍ପାନୀ ୧୯୩.୩ ମିଲିଅନ ଟନ୍ ଉତ୍ପାଦନ କରିବା ସହିତ ୧୯୨.୭ ମିଲିଅନ ଟନ୍ କୋଇଲା ଯୋଗାଇବାରେ ନୂତନ ରେକର୍ଡ ସ୍ଥାପନ କରିଛି । ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓମ ପ୍ରକାଶ ସିଂ ଭୁବନେଶ୍ୱରରେ ଆୟୋଜିତ ଏମସିଏଲର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଏହି ସୂଚନା ଦେଇଛନ୍ତି ।
ଦେଶର ଉର୍ଜା ହାସଲ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବାରେ କମ୍ପାନୀକୁ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସିଏମ୍ଡିଙ୍କ ସମେତ ଏମସିଏଲର ନିର୍ଦ୍ଦେଶକ କେଶବ ରାଓ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ ପି କେ ପଟେଲ, ନିର୍ଦ୍ଦେଶକ(ବୈଷୟିକ) ଯୁଗଳ କୁମାର ବୋରା, ନିର୍ଦ୍ଦେଶକ(ଅର୍ଥ) ଅଜିତ କୁମାର ବେହୁରା ପ୍ରମୁଖ ଉପସ୍ଥିତ ରହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନାଗୁଡ଼ିକୁ ସଫଳ କରାଇବାରେ କମ୍ପାନୀର ପ୍ରତ୍ୟେକ ସଦସ୍ୟଙ୍କର ସମନ୍ୱିତ ଏବଂ ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରଂଶସା କରିଛନ୍ତି ।
ଏମସିଏଲର ଅଧ୍ୟକ୍ଷ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ଏମସିଏଲ କୋଇଲା ଉତ୍ପାଦନରେ ୧୫% ଅଭିବୃଦ୍ଧି ହାସଲ କରିଛି । ଏଥିସହ କୋଇଲା ଉତ୍ତୋଳନରେ ଗତ ଆର୍ଥିକ ବର୍ଷରେ ତୁଳନାରେ ୨୦୨୨-୨୩ ବର୍ଷରେ ୯% ଅଭିବୃଦ୍ଧି ଘଟିଛି । କମ୍ପାନୀର ସମସ୍ତ ଭାଗିଦାରୀ, କର୍ମଚାରୀ, ଠିକାଦାରଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏମସିଏଲ ଧାର୍ଯ୍ୟ ସମୟ ପୂର୍ବରୁ ଏହାର ସମସ୍ତ ଲକ୍ଷ୍ୟ ହାସଲ କରିସାରିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୦୦ ମିଲିୟନ ଟନ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରି କୋଲ ଇଣ୍ଡିଆକୁ ଯୋଗାଇ ପାରିଛି । ଏମସିଏଲ ପରିବେଶ ଅନୁକୂଳ ଯନ୍ତ୍ରପାତି ମାଧ୍ୟମରେ ସମୁଦାୟ ଉତ୍ପାଦନର ୯୭ ପ୍ରତିଶତ କୋଇଲା ଉତ୍ତୋଳନ କରିପାରିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରକୁ କୋଇଲା ଯୋଗାଣରେ ମଧ୍ୟ ବୃଦ୍ଧି ଘଟିଛି । ୨୦୨୧-୨୨ରେ ଏହା ୧୨୭.୧୨ ମିଲିଅନ ଟନ୍ରୁ ୧୭ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ ଆର୍ଥିକ ବର୍ଷରେ ୧୪୮.୮ ମିଲିଅନ ଟନରେ ପହଞ୍ଚିଛି । ୨୦୨୨-୨୩ ବର୍ଷରେ ଏମସିଏଲ ୩,୮୫୦ କୋଟି ଟଙ୍କା ମୂଳବ୍ୟୟ କରି ଏହାର ବ୍ୟବସାୟିକ କାର୍ଯ୍ୟଧାରାକୁ ସୁଦୃଢ କରିପାରିଛି । ଚଳିତ ଆର୍ଥିକ ବର୍ଷ ୩୫୦୦ କୋଟି ଖଟାଇବାକୁ ଲକ୍ଷ୍ୟ ରଖାଯାଇଛି । ସିଏସଆର କ୍ଷେତ୍ରରେ ଏମସିଏଲ ଓଡ଼ିଶାର ଶୀର୍ଷ କମ୍ପାନୀ ମଧ୍ୟରେ ଅନ୍ୟତମ । ୨୦୨୨-୨୩ ବର୍ଷରେ କମ୍ପାନୀ ସିଏସଆର ଅଧିନରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛି । ୪୫୦ ଜମିହରାଙ୍କୁ ନିଯୁକ୍ତି ଦେଇଛି । ଆସନ୍ତା ଅକ୍ଟୋବରରେ ଏମସିଏଲ ସହଯୋଗରେ ନିର୍ମିତ ତାଳଚେର ମେଡିକାଲ କଲେଜର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ନିୟମ ଅନୁସାରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ୨ ବର୍ଷ ପରେ ଚାଲୁ ହେବ ମେଡିକାଲ କଲେଜ ।
ଇଟିଭି ଭାରତ, ଭୁବନେଶ୍ବର