ଖୋର୍ଦ୍ଧା: ପୁଣିଥରେ ରାଜରାସ୍ତାରେ ଚାଷୀ । ଧାନବସ୍ତା ପକାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ ବନ୍ଦ କଲେ ଚାଷୀ ଓ ନବ ନିର୍ମାଣକୃଷକ ସଙ୍ଗଠନର କର୍ମକର୍ତ୍ତା । ଧାନର ଏଫଏକ୍ୟୁ ମାନ ନିର୍ଦ୍ଧାରଣରେ ବ୍ୟାପକ ଅନିୟମିତତା, କଟନିଛଟନି, ଟୋକନ ନମିଳିବା ନେଇ ଜିଲ୍ଲାପାଳ ଅବଗତ ଥିଲେ । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲେ । ଯାହାକୁ ନେଇ ଅସନ୍ତୋଷ ଚାଷୀ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଏହି ଘଟଣାରେ ପୋଲିସ ୧୦ ଜଣ ଚାଷୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି ।
ସୂଚନାନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ମଣ୍ଡିରେ ପ୍ରତି କ୍ୱିଣ୍ଟାଲରେ ୫ କିଲୋ ଧାନ କଟାଯାଉଛି । ଏନେଇ ବାରମ୍ବାର ଅଭିଯୋଗ କରାଯାଇଛି । ହେଲେ ଆଜି ଯାଏଁ କୌଣସି ସୁଫଳ ମିଳିନାହିଁ । ଧାନ କଟନିଛଟନି ହେବାରୁ ଚାଷୀମାନେ ଅନେକ ଅସୁବିଧା ଭୋଗୁଥିଲେ । ଆଶା ଠାରୁ କମ୍ ଲାଭ ମଧ୍ୟ ପାଉଥିଲେ । ଏନେଇ ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲେ । କିନ୍ତୁ ଜିଲ୍ଲାପାଳ ଏହି ସମସ୍ୟାକୁ ଅଣଦେଖା କରୁଥିଲେ । ତେବେ ସମସ୍ୟା ବଢ଼ି ଯିବାରୁ ଅସନ୍ତାେଷ ଚାଷୀ ଆଜି ଏକ ଗାଡିରେ ଧାନ ବୋଝେଇ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ପୂର୍ବରୁ ଚାଷୀମାନଙ୍କୁ ପୋଲିସ ଅଟକାଇଥିଲା। ଯାହାକୁ ନେଇ ପୋଲିସ ସହିତ ମଧ୍ୟ ଚାଷୀଙ୍କ ଠେଲାପେଲା ହୋଇଥିଲା। ଏହାପରେ ଧାନବସ୍ତା ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଫାଟକ ସମ୍ମୁଖରେ ରଖି ଚାଷୀମାନେ ଧାରଣା ଦେଇଥିଲେ । ଧାନର ଏଫଏକ୍ୟୁ ମାନ ନିର୍ଦ୍ଧାରଣରେ ବ୍ୟାପକ ଅନିୟମିତତା, କଟନିଛକନି, ଟୋକନ ନମିଳିବା ଭଳି ସମାସ୍ୟାରେ ପଡିଛି ଚାଷୀ । ଚାଷୀକୁ ଧାନ ଆଣିବା ପାଇଁ ପୂର୍ବରୁ ଟୋକନ ଦିଆଯାଉନାହିଁ । ସରକାର ଧାନ ନକିଣିବା ଦ୍ବାରା ଅର୍ଥାଭାବରେ ଗାଁ ଗଣ୍ଡାର ଚାଷୀ ଦଲାଲକୁ କମ୍ ମୂଲ୍ୟରେ ଧାନ ଟେକି ଦେଉଛି । ଏଥିପାଇଁ ମିଲରକୁ ପ୍ରଶାସନ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ତେଣୁ ଯଥାଶୀଘ୍ର ଏସମସ୍ତ ବିଷୟରେ ସରକାର ଧ୍ୟାନଦେବା ସହ ଚାଷୀଙ୍କ ସମାସ୍ୟାର ସମାଧାନ ପାଇଁ ଦାବି କରିଥିଲେ ଆନ୍ଦୋଳନକାରୀ ଚାଷୀ । ତେବେ ଚାଷୀଙ୍କର ଏହି ଆନ୍ଦୋଳନ ନିୟନ୍ତ୍ରଣ ବାହାରେ ହେବାରୁ ୧୦ ଜଣ ଚାଷୀଙ୍କୁ ଉଠାଇ ନେଇଛି ପୋଲିସ ।
ସେହିଭଳି ନବନିର୍ମାଣ କୃଷକ ସଂଗଠନ ମଧ୍ୟ ଧାନର ଅଭାବୀ ବିକ୍ରି, ମଣ୍ତିରେ ଧାନର କଟନିଛଟନି ଓ ସାଟେଲାଇଟ୍ ସର୍ଭେ ବିଭ୍ରାଟ ପ୍ରସଙ୍ଗ କଥା ଉଠାଇ ଜିଲ୍ଲାପାଳ ଅଫିସରେ ଧାନବସ୍ତା ଧରି ପଶିବାକୁ ଉଦ୍ୟମ କରିଥିଲା । ପୋଲିସ୍ ପକ୍ଷରୁ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସତ୍ତ୍ୱେ ଚାଷୀମାନେ ଧାନବସ୍ତା ନେଇ ଜିଲ୍ଲାପାଳ ଅଫିସ୍ ପଶିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାରେ ଚାଷୀ ଓ ପୋଲିସ୍ ମଧ୍ୟରେ କିଛି ସମୟ ଠେଲାପେଲା ହୋଇଥିବା ଦେଖାଦେଇଥିଲା । ଏହାପରେ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏଠାରେ ଚାଷୀ ନେତାମାନେ ମିଲର ଓ ଯୋଗାଣ ବିଭାଗ ମିଳିମିଶି କିଲୋ ପିଛା ୫ କିଲୋ ଧାନବସ୍ତା ପିଛା କରୁଥିବା ଅଭିଯୋଗ ହୋଇଛି । ସେହିପରି ସାଟେଲାଇଟ ସର୍ଭେ ଜମି ଖାଲି ପଡ଼ିଥିବା ଜମି ମାଲିକ ଟୋକନ ପାଇଥିବା ବେଳେ ଚାଷ କରିଥିବା ଚାଷୀ ଟୋକନ ପାଇନାହାଁନ୍ତି । ଏଭଳି ମାଳମାଳ ଅଭିଯୋଗ ଆଣି ସଂଗଠନର କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ତେବେ ଏହି ଧାରଣା ଏବେ ବି ଜାରି ରହିଛି ।
ଇଟିଭି ଭାରତ, ଖୋର୍ଦ୍ଧା