ଖୋର୍ଦ୍ଧା: ବ୍ୟାଙ୍କ ଭିତରେ ହାତ କାଟିଦେଲେ ମହିଳା ବ୍ୟାଙ୍କ କର୍ମଚାରୀ । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ବର୍ଷରେ ଉଦ୍ଦେଶ୍ୟମୂଳକ ଭାବେ ଦୁଇ ଥର ବଦଳି କରାଯାଇଥିବା ପ୍ରତିବାଦରେ ମହିଳା କର୍ମୀଚାରୀ ନିଜ ହାତ କାଟିଦେଇ ଅଭିଯୋଗ ଆଣିଛନ୍ତି । ସେ ବ୍ୟାଙ୍କର ୩ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ କାର୍ଯ୍ୟରତ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ରାଜଶ୍ରୀ ଭାରତୀ ୩ ଜଣ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ୨ ବର୍ଷ ଧରି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ହଠାତ ତାଙ୍କ ବଦଳି ଆଦେଶକୁ ନେଇ ମାନସିକ ସ୍ତରରେ ଭାରସାମ୍ୟ ହରାଇ ବ୍ୟାଙ୍କ ପରିସରରେ ହାତ କାଟି ଦେଇଥିଲେ । ଖବର ପାଇ ପୋଲିସ ବ୍ୟାଙ୍କରୁ ମହିଳା କର୍ମଚାରୀକୁ ଅସୁରକ୍ଷିତ ଭାବେ ଉଦ୍ଧାର କରି ଚିକିତ୍ସା କରିବା ପରେ ଥାନା ଅଟକ ରଖିଛି ।
ଏହା ବି ପଢନ୍ତୁ- Odisha Cabinet Meeting: ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ ମୋହର
ଅନ୍ୟପଟେ ମହିଳା ବ୍ୟାଙ୍କ ଅଫିସରମାନେ ତାଙ୍କୁ ଓ ଝିଅକୁ ଫୋନରେ କଲ୍ କରି ଧମକ ଦେଉଥିବା ଅଭଯୋଗ କରିଛନ୍ତି । ସେପଟେ ବଦଳି ଆଦେଶରେ ପାତର ଅନ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ରାଜଶ୍ରୀ । ସେ କହିଛନ୍ତି, "୨୦୨୧ରେ ପୂର୍ବତନ ଡିଜିଏମ ସାରଥୀ ଶତପଥିଙ୍କ ସହିତ ମୋର ଅଫିସ ସ୍ତରରେ ଏକ ସମସ୍ୟା ହୋଇଥିଲା । ସେହି ସମୟରେ ମୁଁ ଧାରଣାରେ ବସିଥିଲି । ବହୁ ବିବାଦ ଉପୁଜିଥିଲା । ସେହି ଘଟଣାକୁ କେନ୍ଦ୍ର କରି ଆଜି ପୁଣି ବିବାଦ ଉପୁଜିଛି । ସେହି ପୂର୍ବତନ ଡିଜିଏମ ୩ ଅଧିକାରୀଙ୍କୁ ମୋତେ ହଇରାଣ କରିବା ଲାଗି କହିଛନ୍ତି । ଏଣୁ ଏମାନେ ମୋତେ ଲଗାତାର ଭାବେ ହଇରାଣ କରିଆସୁଛନ୍ତି ।
୩ଜଣ ଅଧିକାରୀ ଖୋର୍ଦ୍ଧା ଗୁଣ୍ଡା ଲଗାଇ ମୋତେ ହଇରାଣ କରୁଛନ୍ତି । ଗତ ଦେଢ ବର୍ଷ ହେବ ମୁଁ ଖୋର୍ଦ୍ଧାକୁ ଟ୍ରାନ୍ସଫର ହୋଇ ଆସିଥିବା ବେଳେ ମୋତେ ପୁଣି ବାଳକାଟିକୁ ସ୍ଥାନାନ୍ତର କରିବା ଲାଗି ଏକ ନୋଟିସ ଜାରି କରିଛନ୍ତି । ହେଲେ ମୋତେ ଯିବା ଆସିବାରେ ସମସ୍ୟା ହେଉଥିବାରୁ ମୁଁ ଭୁବନେଶ୍ବର ସ୍ଥାନାନ୍ତରଣ ପାଇଁ ସେକ୍ରେଟାରୀ ମ୍ୟାଡାମଙ୍କୁ କହିଥିଲି । ମାତ୍ର ଏହି ୩ ଅଧିକାରୀ ତାଙ୍କୁ ପ୍ରଭାବିତ କରି ମୋତେ ବାଳକାଟି ସ୍ଥାନାନ୍ତର କରିବା ଲାଗି କହିଛନ୍ତି । "
ଇଟିଭି ଭାରତ, ଖୋର୍ଦ୍ଧା